ବର୍ଷାଦିନେ ବଢୁଛି ଦୁର୍ଦ୍ଦଶା : ଆଣ୍ଠୁଏ କାଦୁଅରେ କରୁଛନ୍ତି ଯାତାୟତ
ନୂଆପଡା: ପଡ଼ାକୁ ରାସ୍ତା ନାହିଁ । ଲୋକେ କାଦୁଅ ମାଡ଼ି ଯିବା ଆସିବା କରୁଛନ୍ତି । କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ବର୍ଷେ କି ଦୁଇ ବର୍ଷେ ନୁହେଁ, ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି । ଏଭଳି ଘଟଣା ଖଡ଼ିଆଳ ବ୍ଲକ ବାଦି ପଞ୍ଚାୟତର ଜୁନାନି ଗ୍ରାମର ଗୁରୁଦେବ ପଡ଼ା ଦେଖିବାକୁ ମିଳିଛି । ଏହି ପଡ଼ାରେ ପଚାଶ ପରିବାର ରହନ୍ତି । ପଡ଼ାବାସୀଙ୍କ ମୁଖ୍ୟ ସମସ୍ୟା ହେଲା ପଡ଼ାକୁ ଏପର୍ଯ୍ୟନ୍ତ ରାସ୍ତା ଖଣ୍ଡେ ନାହିଁ । ଲୋକେ କାଦୁଅ ପଙ୍କ ରାସ୍ତାରେ ଯିବା ଆସିବା କରନ୍ତି । ବର୍ଷା ଦିନରେ ଲୋକଙ୍କ ଦୁଃଖ କହିଲେ ନସରେ । ଆଣ୍ଠୁଏ କାଦୁଅରେ ଲୋକଙ୍କୁ ଯିବାକୁ ପଡ଼େ । ଫଳରେ ପୁଅଝିଅମାନେ କାଦୁଅ ରାସ୍ତାରେ ସ୍କୁଲ ଯିବାକୁ ବାଧ୍ୟ ହୁଅନ୍ତି । ମହିଳାମାନେ ପାଣି ଆଣିବାରେ ନାହିଁ ନ ଥିବାର ଅସୁବିଧା ଭୋଗ କରନ୍ତି । ବୃଦ୍ଧ ବୃଦ୍ଧା ଚାଲିବା ସମୟରେ ପଡ଼ିଯାଆନ୍ତି ବୋଲି ଅଭିଯୋଗ ହୋଇଥାଏ । ଏହି ରାସ୍ତାରେ ଚାରି ଚକିଆ କଥା ଛାଡ଼ନ୍ତୁ ସାଇକେଲ କିମ୍ବା ବାଇକ୍ ମଧ୍ୟ ଯାଇ ପାରେନାହିଁ । ବର୍ଷା ମାସରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଏ । କେହି ରୋଗରେ ପଡିଲେ କିମ୍ବା ପ୍ରସବ କଷ୍ଟ ପାଇଲେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଖଟିଆରେ ନେବାକୁ ପଡେ ବୋଲି ପଡ଼ାବାସୀ କହନ୍ତି । ସରକାର ସବୁ ଗାଆଁକୁ ଭଲ ରାସ୍ତା ଦେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିରେ ଏଥିପାଇଁ ପାଣ୍ଠି ବ୍ୟବସ୍ଥା ରହିଛି । କିନ୍ତୁ ଏବେ ମଧ୍ୟ ବିଭିନ୍ନ ଗ୍ରାମରେ ଭଲ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରିନି । ଫଳରେ ଲୋକେ ଗମନାଗମନରେ ଅସୁବିଧା ଭୋଗ କରିବା ସହ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚôତ ହେଉଛନ୍ତି । ଅଦା ପଡ଼ାବାସୀ ଦୀର୍ଘ ବର୍ଷରୁ ରାସ୍ତା ଖଣ୍ଡେ ପାଇଁ ଦାବି କରି ଆସୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତି । ଅତିଶୀଘ୍ର ରାସ୍ତା ନିର୍ମାଣ କରା ନ ଗଲେ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛନ୍ତି ଲୋକେ । ଏନେଇ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦଙ୍କୁ ପଚାରିବାରୁ ସେ ଏହି ବିଷୟରେ ଜାଣି ନଥିଲେ ଓ ଅତିଶୀଘ୍ର ରାସ୍ତା ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।