ବଳଙ୍ଗା ପୋଡି ଓ ପଟ୍ଟାମୁଣ୍ଡାଇ ଆତ୍ମାହୁତି: ନିୟମ ବାହାରେ ତଦନ୍ତ କରୁଛି ପୁଲିସ: କଂଗ୍ରେସ
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଆୟୋଜିତ ହୋଇଥିଲା । ବଳଙ୍ଗା ପୋଡି ଏବଂ ପଟ୍ଟାମୁଣ୍ଡାଇରେ ଘଟିଥିବା ସଦ୍ୟ ଆତ୍ମାହୁତି ତଦନ୍ତକୁ ନେଇ ସରକାର ଏବଂ ପୁଲିସର ନକରାତ୍ମକ ଭୂମିକା ବିଷୟରେ କଂଗ୍ରେସ ମୁଖପାତ୍ର ତଥ୍ୟ ପ୍ରଦାନ କରିଥିଲେ । ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନାର ତାଲିକା ପ୍ରଦାନ କରି କହିଛନ୍ତି ଯେ, ନାରୀ ନିର୍ଯାତନା କ୍ଷେତ୍ରରେ ପୂର୍ବ ସରକାରର କୁଖ୍ୟାତି ସାଥିରେ ବର୍ତ୍ତମାନର ସରକାର ବୋଧହୁଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସରକାର କିମ୍ବା ପ୍ରଶାସନ ଅଭିଯୁକ୍ତଙ୍କୁ କାଠଗଡାକୁ ଆଣିବାରେ କୌଣସି ତତ୍ପରତା ଦେଖାଉ ନାହାନ୍ତି । ତେଣୁ ଅପରାଧୀ ନିର୍ଭୟରେ ତାଙ୍କ ଅମାନୁଷିକ କାର୍ଯ୍ୟକଳାପ କରି ଚାଲିଛନ୍ତି । ଗୋଟିଏ ମାସ ମଧ୍ୟରେ ଲାଗ ଲାଗ ଦୁଇଟି କନ୍ୟା ଆତ୍ମାହୁତି କଲେଣି ଏବଂ ଅନ୍ୟ ଏକ କନ୍ୟାକୁ ଦୁର୍ବୃତ୍ତ ପୋଡି ଦେଇଛନ୍ତି । ସବୁଠୁ ବଡ଼ ପ୍ରସଙ୍ଗ ହେଲା ଯଦି ପୁଲିସ ଓ ସରକାର ପୂର୍ବରୁ ସାମାନ୍ୟ ପଦକ୍ଷେପ ନେଇଥାନ୍ତେ ତେବେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳି ନ ଥାନ୍ତା । ପୁଲିସ ତଦନ୍ତ କରୁଛି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ମୁଖ୍ୟ ଅପରାଧୀ ମାନଙ୍କୁ ପୁଲିସ ଧରିପାରୁନି । ଏହା ବଡ଼ ପ୍ରଶ୍ନ ଯେ ପ୍ରକୃତରେ ପୁଲିସ ଅଭିଯୁକ୍ତଙ୍କୁ ଧରିପାରୁନି କି ଧରିବାକୁ ଚାହୁଁନି? ସରକାରଙ୍କ ଏତାଦୃଶ ସନେ୍ଦହାତ୍ମକ କାର୍ଯ୍ୟକଳାପ ଯୋଗୁଁ ନାରୀ ନିର୍ଯାତନା ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଉପରେ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥି ପାଇଁ ସରକାରଙ୍କ ଅଭିପ୍ରାୟ ଓ ନାରୀଙ୍କ ପାଇଁ କେତେ ସମ୍ବେଦନଶୀଳ ସୂଚାଇ ଦେଉଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବଳିଷ୍ଠ ନେତୃତ୍ୱରେ ନାରୀ ନ୍ୟାୟକୁ ଆଗାମୀ ଦିନରେ ରାଜ୍ୟରେ ଏକ ଐତିହାସିକ ଆନେ୍ଦାଳନର ରୂପ ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ ସୂଚନା ପ୍ରଦାନ କରିଥିଲେ ।
ନାରୀ ନିର୍ଯାତନା ଏବଂ ଏହାକୁ ନେଇ ଚାଲିଥିବା ତଦନ୍ତ ପ୍ରକ୍ରିୟାରେ ପୁଲିସ କିଭଳି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛି ବୋଲି କଂଗ୍ରେସ ମୁଖପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ର ତଥ୍ୟ ସହିତ ନିଜ ବକ୍ତବ୍ୟ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ । ବଳଙ୍ଗା ଘଟଣାରେ ଆଇନଗତ ଆଧାରରେ ତଦନ୍ତ ହେବା କଥା କିନ୍ତୁ ହୋଇନି । ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ମୃତୁ୍ୟର ତିନି ଘଣ୍ଟା ପରେ ପୁଲିସ ଏହି ଘଟଣାରେ କେହି ସାମିଲ ନ ଥିବା ମନ୍ତବ୍ୟ ପୁଲିସର ଭୂମିକାକୁ ଆହୁରି ସନେ୍ଦହ ଘେରକୁ ଟାଣି ନେଇଛି । ଏଥିରୁ ସ୍ପଷ୍ଟ ଜଣା ପଡୁଛି ପୀଡ଼ିତାଙ୍କ ମାଆ ଦେଇଥିବା ଏତଲା ଓ ବିଏନଏସ ଅନୁସାରେ ତଦନ୍ତ ନ କରି ସରକାର ଦେଇଥିବା ସଂଳାପ ଅନୁସାରେ ତଦନ୍ତ କରୁଛି ବୋଲି ମୁଖପାତ୍ର ଶ୍ରୀ ମିଶ୍ର ସରକାରଙ୍କୁ ନିଶାନା କରିଛନ୍ତି । ପୁଲିସ ବିଜେପି ଏବଂ ତାଙ୍କ ସରକାରକୁ ସୁରକ୍ଷା ଦେବା ଉଦେ୍ଦଶ୍ୟରେ ସମସ୍ତ ନୀତି ନିୟମକୁ ଉଲଂଘନ କରି ତଦନ୍ତ କରୁଛି । ନାରୀ ନ୍ୟାୟ ପାଇଁ କଂଗ୍ରେସର ଲଢେଇ ଜାରି ରହିବ ବୋଲି ମୁଖପାତ୍ର ରଜନୀ ମହାନ୍ତି ଓ ମନୋରଞ୍ଜନ ଦାଶ ପ୍ରକାଶ କରିଥିଲେ ।