ବାରମ୍ବାର ଚୋରି ହେଉଛି ବିଦୁ୍ୟତ୍ ତାର
ପାଣିକୋଇଲି : ପାଣିକୋଇଲି ଥାନା ଅଞ୍ଚଳରୁ ବାରମ୍ବାର ବିଦୁ୍ୟତ ତାର ଓ କେବୁଲ୍ ଚୋରି ହେବାରେ ଲାଗିଛି । ପାଣିକୋଇଲି ବିଦୁ୍ୟତ ସେକ୍ସନ ଅଧିନ ବା ପାଣିକୋଇଲି ଥାନା ଅନ୍ତର୍ଗତ ଦାମୋଦରପୁର, ଓଚିନ୍ଦା, ଅମୃତିଆ ଆଦି ସ୍ଥାନରୁ କ୍ରମାଗତ ଭାବେ ତାର ଚୋରି ହେଉଛି । ଗୋଟିଏ ପଟେ ଟାଟା ପାୱାର ବିଦୁ୍ୟତ ବିଲ ଆଦାୟ ନେଇ ଚାଷୀଙ୍କ ଉପରେ ଜୁଲମ କରୁଥିବା ବେଳେ କେବୁଲ ତାର ଚୋର ମାନେ ସେମାନଙ୍କର ଦୁର୍ଦଶା ବଢାଇ ଦେଇଛି । ତାର ଚୋର ମାନେ ବର୍ତମାନ ଉଠା ଜଳସେଚନ ଗୁଡ଼ିକୁ ଯାଇଥିବା ୩ ଫେଜ ଏଲଟି ଲାଇନର କେବୁଲ ଗୁଡ଼ିକୁ ଟାର୍ଗେଟ କରୁଛନ୍ତି । ଗତ ୧୪ ତାରିଖ ରାତିରେ ଦାମୋଦରପୁର ଓ ବାଟୁଳ ଗ୍ରାମର ମଧ୍ୟସ୍ଥଳୀରେ ଥିବା ଉଠା ଜଳସେଚନ ପଏଣ୍ଟର ୩୦ଟି ଖୁଣ୍ଟର କେବୁଲ ତାରକୁ ଚୋର କାଟି ନେଇଥିବା ବେଳେ ୨୪ତାରିଖ ରାତିରେ ପାଣିକୋଇଲି ବାଲିଦାଣ୍ଡ ସାହି ନିକଟରେ ଥିବା ଚାଷ ଜମିରୁ ୨୬ଟି ସ୍ପାନର ପାଖାପାଖି ୧୫୦୦ ମିଟର କେବୁଲ କାଟି ନେଇଛନ୍ତି । ଫଳରେ ପ୍ରାୟ ୨୦୦ଏକରରୁ ଚାଷ ଜମିର ୮ରୁ ଉଦ୍ଧ୍ୱର୍ ଚାଷୀ ପ୍ରଭାବିତ ହୋଇଛନ୍ତି ।