ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତକୁ ଖୋଜୁଛି ପୁଲିସ
ବରୀ: ବରୀ ବ୍ଲକ୍ ବାଲିଆ ଅଭିମନୁ୍ୟ ସାମନ୍ତସିଂହାର ମହାବିଦ୍ୟାଳୟରେ ଜନୈକ ଛାତ୍ରୀଙ୍କୁ ଅଧ୍ୟାପକ ବିଦ୍ୟାଧର ଧଳ ଅସଦାଚରଣ କରିବା ନେଇ ସଂପୃକ୍ତ ଛାତ୍ରୀ ଜଣକ ବରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଥାନାରେ ଅଭିଯୋଗ ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ମଧ୍ୟ ଅଧ୍ୟାପକ ଜଣକ ଫେରାରଥିବା ଜଣାପଡ଼ିଛି । ପୁଲିସ ଦୀର୍ଘ ସମୟଧରି କଲେଜ ପରିସରରେ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ ଗତ ୬ତାରିଖରେ ପ୍ରାକ୍ଟିକାଲ୍ ପରୀକ୍ଷା ଚାଲିଥିଲା । ଛାତ୍ରୀ ବିଦ୍ୟାଳୟରେ ପ୍ରାକ୍ଟିକାଲ୍ ପରୀକ୍ଷା ଦେବା ସମୟରେ ଅଧ୍ୟାପକ ବିଦ୍ୟାଧର ଛାତ୍ରୀଙ୍କୁ ଅନ୍ୟ ଏକ କୋଠରିକୁ ଡାକି ନେଇ ଅସଦାଚରଣ କରିବାରୁ ସେ ପାଟି କରିଥିଲେ । ତାଙ୍କ ପାଟି ଶୁଣି ଜଣେ କର୍ମଚାରୀ ଆସିଥିଲେ ମଧ୍ୟ କିଛି ନଦେଖିଲା ପରି ଚାଲିଯାଇଥିଲେ । ଛାତ୍ରୀ ଜଣକ ବଡ଼ପାଟି କରିବାରୁ ଅନ୍ୟ କେତେକ ଛାତ୍ର ସେଠାକୁ ଚାଲିଆସିଥିଲେ । ଫଳରେ ଅଭିଯୁକ୍ତ ଅଧ୍ୟାପକ ଖସି ପଳାଇଥିଲା । ପୀଡ଼ିତା ଘରେ ପହଞ୍ଚି ଘଟଣା ସମ୍ପର୍କରେ ତା'ଙ୍କ ମା'ଙ୍କୁ ଜଣାଇଥିଲେ । ଘଟଣା ପ୍ରଘଟ କଲେ ପରୀକ୍ଷାରେ ଫେଲ କରାଇଦେବାକୁ ମଧ୍ୟ ପୀଡ଼ିତାଙ୍କୁ ଅଭିଯୁକ୍ତ ଧମକ ଦେଇଥିଲା । ଘଟଣାକୁ ସମାଧାନ ପାଇଁ ଚାପ ପଡ଼ିଥିଲା । ତେବେ ପୀଡ଼ିତା ଏହାକୁ ଭୃକ୍ଷେପ କରିନଥିଲେ । ବରୀ ଥାନାରେ ଅଭିଯୋଗ କରିବା ପରେ ଥାନା କେଶ ନଂ୧୬/୨୫ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଅଧ୍ୟାପକ ବିଦ୍ୟାଧର ଫେରାର ହୋଇଯାଇଥିବା ଥାନା ଅଧିକାରୀ ଜ୍ୟୋର୍ତିମୟୀ ସେଠୀ କହିଛନ୍ତି । ଅନ୍ୟପକ୍ଷରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।