ପୋର୍ଟ ହାଇସ୍କୁଲରେ ବନ୍ଧୁ ମିଳନ
ପାରାଦୀପ,: ପ୍ରତି ବର୍ଷ ପରି ପୋର୍ଟ ହାଇସ୍କୁଲ ୧୯୮୧ ବ୍ୟାଚର ବନ୍ଧୁ ମିଳନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକୁ ପ୍ରତିବର୍ଷ ପରି ନିରନ୍ତର ଭାବରେ ଆୟୋଜନ କରି ଆସୁଛନ୍ତି, ଯାହାକି ଅନ୍ୟ ମାନଙ୍କ ପାଇଁ ଉଦାହରଣ । ଏ ବର୍ଷ ବନ୍ଧୁମାନେ ପ୍ରତିକୂଳ ପାଗ ସତ୍ତ୍ୱେ ପାରାଦୀପ ଠାରେ ସ୍କୁଲ ପରିସରରେ ଏକତ୍ରିତ ହୋଇ ସ୍କୁଲ ଜୀବନର ସ୍ମୃତିକୁ ରୋମନ୍ତନ କରିଥିଲେ । ପ୍ରାୟତଃ ୬୦ଟି ବସନ୍ତକୁ ପାର୍ କରିଥିବା ବନ୍ଧୁ ଓ ବାନ୍ଧବୀମାନେ ନିଜ ପରିବାର ସହିତ ପାରାଦୀପ କେବଳ ବନ୍ଧୁ ମିଳନକୁ ଉପଭୋଗ କରିବାକୁ ଆସିନଥିଲେ ବରଂ ସେମାନଙ୍କର ଏହି ମିଳନ ସେମାନଙ୍କ ପିଲାମାନଙ୍କୁ ଏକ ନିବିଡ ସମ୍ପର୍କର ଲାଭ ସମ୍ବନ୍ଧରେ ଶିକ୍ଷା ଦେଇଥିଲା ଓ ସେମାନଙ୍କର ଗୁରୁକୂଳର ମହତ୍ତ୍ୱ ସମ୍ବନ୍ଧରେ ମଧ୍ୟ ସୂଚାଇ ଦେଇଥିଲା । ଏହିଁ ବନ୍ଧୁ ମିଳନରେ ପିଲାମାନେ ଗୁରୁକୂଳର ପରମ୍ପରାକୁ ଭୁଲି ନ ଯାଇ ପୁରାତନ ଗୁରୁ ରବି ସ୍ୱାଇଁ, ଗୌରାଙ୍ଗ ଦାସ, ବିପିନ ତ୍ରିପାଠୀ, ବର୍ତ୍ତମାନର ପ୍ରଧାନଶିକ୍ଷକ ପ୍ରଦୀପ୍ତ ଦାସ ଓ ଶଙ୍କର ଚରଣ ଖୁଣ୍ଟିଆଙ୍କୁ ନିଜ ସହିତ ସାମିଲ କରିଥିଲେ । ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ଆଶୀର୍ବାଦ ଭିକ୍ଷା କରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଧୁ ମିଳନରେ ରହି ସନ୍ଧ୍ୟା ବେଳକୁ ଫେରିବା ପୂର୍ବରୁ ବନ୍ଧୁ ବାନ୍ଧବୀ ମାନେ ପରସ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଆସନ୍ତା ବର୍ଷ ସମ୍ଭାବନାର ବର୍ଷ ହେଉ ଆଶା କରିଥିଲେ । ଆସନ୍ତା ବର୍ଷ ପୁଣି ଥରେ ଏକାଠି ହେବାର ପ୍ରତିଶ୍ରୁତି ଦେଇ ଲୋତକ ଭରା ଆଖିରେ ପରସ୍ପରକୁ ବିଦାୟ ଦେଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ନିରୋଜ ପଟ୍ଟନାୟକ, ରାମ ଚନ୍ଦ୍ର ସ୍ୱାଇଁ, ଲଳିତ ସ୍ୱାଇଁ, ବିଜୟ ମଲ୍ଲିକ, ପ୍ରଦୀପ ମିତ୍ର, ନିରାକାର ନାଥ, ବଦ୍ରି ମହାପାତ୍ର, ସନ୍ତୋଷ ମିଶ୍ର, ଜୟଦେବ ମୀର୍ଦ୍ଧା ପ୍ରମୁଖ ଆୟୋଜନ କରିଥିଲେ ।