କମ ମଦ ଜବତ କରି ଅଧିକ ଦେଖାଇବା ଘଟଣା : ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ
ରାଜନଗର, ୨୬ା୯ : ରାଜନଗର ପୁଲିସ ଆଇନ ବ୍ୟବସ୍ଥାକୁ ସମ୍ମାନ ଦେବା ପରିବର୍ତ୍ତେ ଲୋକଙ୍କୁ ମିଛ ମାମଲାରେ କୋର୍ଟ ଚାଲାଣ କରିବା ଘଟଣା ଏବେ ସବୁ ମହଲରେ ବିତର୍କ ସୃଷ୍ଟି କରିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନାର ଆଇଆଇଆସି ନରେଶ କୁମାର ସାହୁ ଖୋଲା ବୈଠକରେ ଆଇନରେ ବ୍ୟବସ୍ଥା ନଥାଇ ମଧ୍ୟ ଲୋକଙ୍କୁ କୋର୍ଟ ଚାଲାଣ କରୁଥିବା କହିବା ପରେ ସବୁ ମହଲରେ କାର୍ଯ୍ୟନୁଷ୍ଠାନ ପାଇଁ ସ୍ୱର ଉଠିଲାଣି । ପୁଲିସ ଯେଉଁ ମାମଲାରେ ଥାନାରୁ ୩୫ (୩) ବିଏନଏସ ରେ ବେଲ ଦେବା କଥା, ସେ ମାମଲାରେ ଜେଲ ପଠାଇ ମାନବିକ ଅଧିକାର କ୍ଷୁର୍ଣ କରିବାସହ ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବାର ଅଧିକାର କିଏ ଦେଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଥାନାରୁ ଯେଉଁମାନେ ଜାମିନ ପାଇବାର ନିୟମ ଅଛି, ସେ ମାମଲାରେ ସେମାନେ ଯେତିକି ଦିନ ଜେଲ ଭୋଗିଲେ ଓ ତାଙ୍କର ମାନବିକ ଅଧିକାର କ୍ଷୁର୍ଣ୍ଣହେଲା ତାହାକୁ କିଏ ଭରଣା କରିବ । ତାହାକୁ ନେଇ ପ୍ରଶ୍ନ ଉଠିଛି । ମାନ୍ୟବର ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ଯେଉଁ ମାମଲାରେ ଥାନାରୁ ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେ ମାମଲାରେ ପୁଲିସ କିପରି ଓ କେଉଁ ଅଧିକାରରେ କ୍ଷମତାର ଅପବ୍ୟବହାର କରି ତିନୋଟି ମାମଲାରେ ତିନି ଜଣଙ୍କୁ ଜେଲ ପଠାଇଲା ? ଉପରିସ୍ଥ ପୁଲିସ ଅଧିକାରୀ କାହିଁକି ଏଯାଏଁ ଏହି ଘଟଣାରେ କ୍ଷମତାର ଅପବ୍ୟବହାର କରିଥିବା ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି, ତାହା ବିସ୍ମୟ ସୃଷ୍ଟି କରିଛି । ପୁଲିସ କମ ମଦ ଜବତ କରି ଅଧିକ ମଦ ଜବତ ଦେଖାଇ ୩ ଟି ମାମଲାରେ ୩ ଜଣଙ୍କୁ ଜେଲ ପଠାଇଲା । ଅଧିକ ମଦ ପୁଲିସ କେଉଁଠୁ ଆଣିଲା । ଜବତ ମଦ ଥାନାରେ ଗଛିତ ଅଛି ତ ? କେବଳ ଗୋଟିଏ ମାମଲା ନୁହେଁ ଗତ କିଛି ମାସରେ ଜବତ ହୋଇଥିବା ଚୋରା ମଦ ଥାନାର ମାଲଖାନାରେ ଗଛିତ ଅଛି କି ନାହିଁ, ତାର ଯାଞ୍ଚ ହେବାର ଆବଶ୍ୟକତା ରହିଛି । ସେପ୍ଟେମ୍ବର ୨୨ତାରିଖ ଦିନ ରାଜନଗର ଥାନାର ଆଇଆଇସି ନରେଶ କୁମାର ସାହୁ ଶାନ୍ତି କମିଟି ବୈଠକରେ ଉପସ୍ଥିତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଆମେ ଗିରଫ କରୁଥିବା ଯୁବକଙ୍କ ଠାରୁ କମ ମଦ ଜବତ କଲେ ମଧ୍ୟ ଅଧିକ ମଦ ଜବତ କରିଥିବା ଦର୍ଶାଇ ଜେଲ ପଠାଉଛୁ ବୋଲି ପ୍ରକାଶ କରିବା ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ଘଟଣା ଏବେ ସମଗ୍ର ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।