ବାରମ୍ବାର ପରୀକ୍ଷା ବାତିଲ : ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଲେ ବିରୋଧୀ
ଭୁବନେଶ୍ୱର : ରାଜ୍ୟରେ ବାରମ୍ବାର ପରୀକ୍ଷା ବାତିଲକୁ ନେଇ ବଢିବାରେ ଲାଗିଛି ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧି ଦଳ । ରାଜ୍ୟରେ ଚାକିରି ଆଶାୟୀଙ୍କ ପରୀକ୍ଷା ଅବ୍ୟବସ୍ଥା ଘଟଣାକୁ ବିରୋଧୀ ଦଳ ବିଜେଡ଼ି ସୂପ୍ରିମ୍ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିଛନ୍ତି । ‘ଏକ୍ସ’ରେ ନବୀନ ଲେଖିଛନ୍ତି, ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି । ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି । ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ ? ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି । ୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି । ସରକାର କ'ଣ ଦର୍ଶାଇବାକୁ ଚାହୁଁଛନ୍ତି ? ରାଜ୍ୟର ପିଲାମାନଙ୍କ ଆଶା, ସ୍ୱପ୍ନ ଏପରି ଧୂଳିସାତ ହେଉଥିବ ? ସରକାର ସଜାଗ ହୁଅନ୍ତୁ, ସମସ୍ତ ପରୀକ୍ଷା ଯେପରି ନିୟମିତ ଏବଂ ସ୍ୱଚ୍ଛତାର ସହ ହେବ ତାହା ସୁନିଶ୍ଚିତ କରନ୍ତୁ ।
ବିଜେଡ଼ି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଅନ୍ଧାରକୁ ଠେଲି ହୋଇ ଯାଉଛି ମେଧାବୀ ପିଲାଙ୍କ ଭବିଷ୍ୟତ । ସରକାରୀ ପରୀକ୍ଷା ପରିଚାଳନାରେ ବାରମ୍ବାର ବିଭ୍ରାଟ ହେଉଛି । ୧୮ ମାସରେ ୧୮ଟି ସରକାରୀ ପରୀକ୍ଷାରେ ଅନିୟମିତତା ହେଇଛି । ସରକାର ଯୁବ ପିଢ଼ିଙ୍କ ଭବିଷ୍ୟତକୁ ନେଇ ଗୁରୁତ୍ୱ ଦେଉ ନାହାନ୍ତି । ସେହିପରି କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ଜବାବ ରଖି କହିଛନ୍ତି, ସରକାରଙ୍କ ଅପାରଗତା ଦିନକୁ ଦିନ ପ୍ରମାଣିତ ହେଉଛି । ଆଶାୟୀ ଚାକିରିଆଙ୍କ ସହ ଏପରି ଖେଳ ନ ଖେଳନ୍ତୁ ସରକାର । ଛାତ୍ରଛାତ୍ରୀ ତାତିଲେ ସରକାର କିଛି କରିପାରିବେ ନାହିଁ ।
ଏହାର ଉତ୍ତରରେ ନବୀନଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ । ସେ କହିଛନ୍ତି, ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା । ସେହିପରି ପରୀକ୍ଷା ହେଉ ବୋଲି ବୋଧେ ନବୀନ ପଟ୍ଟନାୟକ ଚାହୁଁଛନ୍ତି । ବିଜେଡ଼ି ଭବିଷ୍ୟତ ଅନ୍ଧାରକୁ ନେଇ ଚିନ୍ତିତ ଅଛନ୍ତି ନବୀନ ପଟ୍ଟନାୟକ ।