ବିଜେପି ସମସ୍ତ ବିଦ୍ୟୁତ୍ ବିଲ୍ ଛାଡ଼ କରିବ:ଅପରାଜିତା

ଭୁବନେଶ୍ୱର: ବିଜେଡି ନିଜ ନିର୍ବାଚନୀ ଘୋଷଣାପତ୍ରରେ ଶହେ ୟୁନିଟ୍ ପର୍ୟ୍ୟନ୍ତ ମାଗଣା ବିଦ୍ୟୁତ୍ ଦେବାକୁ ଘୋଷଣା କରିଛି। କିନ୍ତୁ ବିଜେପି ସମସ୍ତ ବିଦ୍ୟୁତ୍ ବିଲ୍ ଛାଡ଼ କରିବ। ଆଜି ଭୁବନେଶ୍ୱରରେ ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ବିଜେଡି ନିଜ ଘୋଷଣାପତ୍ରରେ ଆସନ୍ତା ଜୁଲାଇ ମାସରୁ ଉପଭୋକ୍ତାଙ୍କ ନିକଟରୁ ଶହେ ୟୁନିଟ୍ ପର୍ୟ୍ୟନ୍ତ ବିଜୁଳି ବିଲ୍ ନେବନି ବୋଲି ଘୋଷଣା କରିଛି। କିନ୍ତୁ ବିଜେପି ସବୁ ବିଜୁଳି ବିଲ୍ ଛାଡ଼ କରିବ ବୋଲି ନିଜ ଘୋଷଣାପତ୍ରରେ କହି ସାରିଛି। କିନ୍ତୁ ଏହା ପୂର୍ବରୁ ଆମେ ସବୁ ଘର ଉପରେ ସୋଲାର ପ୍ୟାନେଲ ଲଗାଇବୁ।
ଏଥିସହ ବିଜେଡିକୁ ଟାର୍ଗେଟ କରି ଭୁବନେଶ୍ୱର ସାଂସଦ କହିଛନ୍ତି, ପୁରୀ ମନ୍ଦିର ପ୍ରୋଜେକ୍ଟ ପାଇଁ ରାଜ୍ୟ ରାଜକୋଷରୁ ୪ ହଜାର୨ ଶହ କୋଟି ଟଙ୍କା ବ୍ୟୟ କରାଯାଇଛି। ମାତ୍ର ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପାଇଁ ୧୪ ଶହ କୋଟି ଖର୍ଚ୍ଚ ହୋଇଛି। ତାହା ପୁଣି ଦାନସୂତ୍ରରେ ମିଳିଛି।
ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଯୋଜନା ପାଇଁ ସବୁ ନୀତି ନିୟମକୁ ଜଳାଞ୍ଜଳି ଦିଆଗଲା। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ନିୟମକୁ ଖୁଲମଖୁଲା ଉଲ୍ଳଘଂନ କରାଗଲା। ବିଜେପିର ପ୍ରବଳ ବିରୋଧ ପରେ ରାଜ୍ୟ ସରକାର ନିଜ ୱେବସାଇଟରୁ ସେହି ଯୋଜନାକୁ ବାହାର କରିଦେଲେ। କାହିଁକି ଭୁଲ୍ DPR ପ୍ରସ୍ତୁତ କରାଗଲା? କାହିଁକି ନୀତି ନିୟମକୁ ନ ଦେଖି ପୁରୀ ମନ୍ଦିରରର ସୁରକ୍ଷାକୁ ଆଖି ଆଗରେ ନ ରଖି କାମ କରାଗଲା ବୋଲି ପ୍ରଶ୍ନ ପଚାରିଛନ୍ତି ଅପରାଜିତା ଷଡଙ୍ଗୀ।
ଏଥିସହ ସେ କହିଛନ୍ତି, ରାଜ୍ୟ ସରକାର ପୁରୀ ମନ୍ଦିର ପ୍ରୋଜେକ୍ଟ ପାଇଁ ହଜାର ହଜାର ବର୍ଷ ତଳର ପ୍ରାଚୀନ ମଠ ସବୁ ଭାଙ୍ଗି ଦେଲେ।ତାହା ଆମ ଐତିହ୍ୟ, ସଂସ୍କୃତି, ପରମ୍ପରାର ପ୍ରତୀକ। ତାହା ପୁଣି କେବେ ନିର୍ମିତ ହେବ, ତାହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ।