ବିଜେଡ଼ି ହାତରୁ ଯିବ ବଡ଼ଚଣା ବ୍ଲକ
ଯାଜପୁର: ଯାଜପୁର ବିଜେଡ଼ିକୁ ଲାଗିବ ଆଉ ଏକ ଝଟକା । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସୈାଜନ୍ୟରୁ ବିଜେଡ଼ିକୁ ପ୍ରଥମ ଝଟକା ଲାଗିଥିବା ବେଳେ ଦ୍ୱିତୀୟ ଝଟକା ବଡ଼ଚଣା ବିଧାୟକ ଅମର ନାୟକଙ୍କ ସୈାଜନ୍ୟରୁ ଲାଗିବାକୁ ଯାଉଛି । ବିଜେପିକୁ ଯିବାକୁ ମାସେ ପୂର୍ବରୁ ଗୋଡ଼ ଟେକି ରହିଥିବା ବିଜେଡ଼ିର ଅସନ୍ତୁଷ୍ଠ ଗୋଷ୍ଠୀ ଆସନ୍ତାକାଲି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିବାକୁ ଯାଉଛନ୍ତି ।
ଅସନ୍ତୁଷ୍ଟଙ୍କ ମଧ୍ୟରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦଙ୍କ ସମେତ ଦୁଇଜଣ ଜିଲା ପରିଷଦ ସଭ୍ୟ ଏବଂ ୨୦ରୁ ଅଧିକ ପଞ୍ଚାୟତର ପ୍ରତିନିଧି ରହିଛନ୍ତି । ୨୦୨୨ରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେଇ ହୋଇଥିଲା । ବିଜେଡ଼ିରୁ ମିନତୀ ସେନାପତି ଏବଂ ବିଜେପିରୁ ସ୍ମରଣିକା ବଳ ପ୍ରାର୍ଥି ହୋଇଥିଲେ । ୪୩ ସମିତିସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ୩ ଜଣ ଅନୁପସ୍ଥିତ ରହିଥିବା ବେଳେ ୨୯ ଜଣ ମିନତୀ ଓ ୧୧ ଜଣ ପ୍ରଭାସିନୀଙ୍କ ସମର୍ଥନରେ ମତଦାନ କରିଥିଲେ । ସେ ସମୟର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗୋଟି ଚାଳନାରେ ବିଜେପି କରିଥିବା ବ୍ଲକ ଦଖଲ ଉଦ୍ୟମ ଫେଲ ମାରିଥିଲା । କିନ୍ତୁ ୨୦୨୨ର ବିଫଳତା ବିଜେପିକୁ ୨୦୨୫ରେ ସଫଳତା ଦେବାକୁ ଯାଉଛି ।
ଗଲା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନର ଫଳ ପାଇଥିବା ଦଳକୁ ନେଇ ସୃଷ୍ଠି ହୋଇଥିବା ଅସନ୍ତେଷ ବଡ଼ଚଣା ବିଜେଡ଼ିକୁ ଏକ ପ୍ରକାର ଦୁଇଫାଳ କରି ଦେଇଥିଲା । ଦୀର୍ଘମାସ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଅସନ୍ତୁଷ୍ଟ ବିଜେଡ଼ି ନେତା ବିଜେପିରେ ଯୋଗ ଦେବେ ଏକଥା ଜଣାପଡ଼ିଯାଇଥିଲା । ହେଲେ ସେଥିରେ ବିଳମ୍ବ ଘଟି ଚାଲିଥିଲା । କିନ୍ତୁ ଧର୍ମଶାଳା ବ୍ଲକ ବିଜେଡ଼ି ମୁକ୍ତ ହେବା ପରେ ଯାଜପୁର ବିଜେଡ଼ିକୁ ଆଉ ଏକ ଝଟକା ଦେବାକୁ ଯାଉଛି । ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପଂଚାୟତ ପ୍ରତିନିଧି ଆସନ୍ତାକାଲି ପଦ୍ମ ଧରିବା ପରେ ସ୍ୱତଃ ବଡ଼ଚଣା ବ୍ଲକ ବିଜେପି ନେତୃତ୍ୱକୁ ଚାଲିଆସିବ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଜନୈକ ଜିଲା ପରିଷଦ ସଭ୍ୟଙ୍କ ସହ ଆଲୋଚନା ବେଳେ ପ୍ର୍ରକାଶ କରିଥିଲେ । ଆସନ୍ତାକାଲିର ମିଶ୍ରଣ ପରେ ବଡ଼ଚଣାରେ ବିଜେଡ଼ି ଏକ ପ୍ର୍ରକାର ତୃଣମୂଳ ସ୍ତରରେ ଭୁଷୁଡ଼ିପଡ଼ିବ, ଏକଥା ରାଜନୈତିକ ମହଲରେ ହିଁ ଆଲୋଚନା ଚାଲିଛି । କିନ୍ତୁ ଆଶ୍ଚର୍ଯ୍ୟ ଯାଜପୁର ବିଜେଡ଼ି ଏହାକୁ ଗୁୁରୁତର ସହ ନେବାର ଦେଖାଯାଇନି । ଯାଜପୁର ବିଜେଡ଼ିରେ ବହୁତୁଙ୍ଗ ନେତା ଥିଲେ ବି ଅସନ୍ତୁଷ୍ଟଙ୍କୁ ମନାଇବାର ମନ ବଳାଇନାହାନ୍ତି ।