ବବିଙ୍କୁ ଅଣଦେଖା ବିଜେଡ଼ିକୁ ମହଙ୍ଗା ପଡ଼ିବ

pranab prakash das

ବବିଙ୍କୁ ଅଣଦେଖା ବିଜେଡ଼ିକୁ ମହଙ୍ଗା ପଡ଼ିବ

ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସଙ୍କ ଚେର କାଟିବା ପାଇଁ ଏବେ ବିଜେଡ଼ିର ଗୋଟିଏ ଗୋଷ୍ଠୀ ଖୁବ ଉଦ୍ୟମ କରୁଛନ୍ତି  । ଏମିତିକି ଭିକେ ପାଣ୍ଡିଆନ୍‌ ମଧ୍ୟ ବବିଙ୍କୁ ଡାଉନ୍‌ କରିବାକୁ ଚାହୁଁଛନ୍ତି  । ଗତ ସାଧାରଣ ନିର୍ବାଚନ ବେଳଠାରୁ  ପାଣ୍ଡିଆନ୍‌ ଏଥିପାଇଁ ଗୋଟି ଚଳାଇଥିଲେ  । ଯାହାକୁ ନେଇ ପାଣ୍ଡିଆନ ଓ ବବିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା  । ପାଣ୍ଡିଆନ୍‌ ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡ଼ି ନେତାମାନେ ପୋଷ୍ଟର ଓ ବ୍ୟାନରରେ ନବୀନ ଓ ବବିଙ୍କ ଫଟୋ ମାରୁଥିଲେ  । କିନ୍ତୁ ପାଣ୍ଡିଆନ ଶଙ୍ଖ ଫୁଙ୍କିବା ପରେ ସବୁ କିଛି ବଦଳି ଯାଇଥିଲା  । ନେତାମାନେ ନିଜ ପୋଷ୍ଟରରେ ନବୀନଙ୍କ ସହ ପାଣ୍ଡିଆନଙ୍କ ଫଟୋ ହିଁ ରଖିଥିଲେ  । ବବିଙ୍କ ଫଟୋ ଆଉ ଦେଖିବାକୁ ମିଳିନଥିଲା  । ନିର୍ବାଚନ ବେଳେ ଏନେଇ ବବି ଅସନ୍ତୋଷ ପ୍ରକାଶ କରିବାରୁ ଦଳ ପକ୍ଷରୁ ତିନି ଜଣଙ୍କ ଫଟୋ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା  । ଚବିଶ ନିର୍ବାଚନ ହାରିବା ପରେ ଅଧିକାଂଶ ନେତା ଓ କର୍ମୀ ସିଧାସଳଖ ପାଣ୍ଡିଆନଙ୍କୁ ହିଁ ନିଶାନା ସାଧିଥିଲେ  । ଯେଉଁଥିପାଇଁ ପାଣ୍ଡିଆନ ରାଜନୀତି ଛାଡ଼ି ଘରେ ବସିବାକୁ ବାଧ୍ୟ ହୋଇଥିଲେ  । ଏବେ ସେ ସମ୍ମୁଖ ଭାଗରେ ନଥିଲେ ମଧ୍ୟ ବବିଙ୍କୁ ବିଜେଡ଼ି ରାଜନୀତିରେ ନିଷ୍ପ୍ରଭ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି  । ଗତ ନିର୍ବାଚନରେ ବବି ପ୍ରାର୍ଥୀଙ୍କ ପାଖରେ ଟଙ୍କା ପହଁଚାଇ ପାରିନଥିବା ଚର୍ଚ୍ଚା ହେଉଛି  । ବରଂ ବବି କେବଳ ସମ୍ବଲପୁରରେ ହିଁ ଟଙ୍କା ବର୍ଷା କରିଥିଲେ  । ନିଜ ଟିକେଟ ସହ ସେ ମା’ଙ୍କ ପାଇଁ ମଧ୍ୟ ଟିକେଟ ନେଇଥିଲେ  । କୋରେଇରେ ବିଜେଡ଼ିର ଭଲ ସ୍ଥିତି ଥିଲେ ମଧ୍ୟ ତାଙ୍କ ମା’ ହାରିଯାଇଥିଲେ  । ଏହାପଛରେ ଡାନି ଘଡେ଼ଇଙ୍କ ରଣନୀତି ଥିଲାବୋଲି ମଧ୍ୟ କୁହାଯାଉଛି  । କାହିଁକିନା କୋରେଇ ଟିକେଟ ପାଇବା ପାଇଁ ଡାନି ନିଜର ଅଭିନେତ୍ରୀ ପତ୍ନୀ ଝିଲିକଙ୍କୁ ବେଶ କିଛିଦିନ ପ୍ରଚାର ମଇଦାନକୁ ଛାଡ଼ିଥିଲେ  । ସେତେବେଳେ ପାଣ୍ଡିଆନଙ୍କ ଇସାରାରେ ଡାନି ଗୋଟି ଗଡ଼ାଉଥିବା ମଧ୍ୟ ରାଜନୀତିକ ମହଲରେ ଚର୍ଚ୍ଚା ହେଉଥିଲା  । ସାଂଗଠନିକ ସମ୍ପାଦକ ଥିଲେ ମଧ୍ୟ ବବିଙ୍କୁ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ କମିଟିରେ ସ୍ଥାନ ମିଳିନାହିଁ  । ଯାହାକୁ ନେଇ ବବି ଖପ୍ପା ଥିବାବେଳେ ଦଳ ପକ୍ଷରୁ ଚକ୍ରାନ୍ତ ହେଉଛି ବୋଲି ଅନୁମାନ କରୁଛନ୍ତି  । ତେବେ ଗତ ତିନି ବର୍ଷ ଧରି ବବି ହିଁ ସାରା ଓଡ଼ିଶାର ବିଜେଡ଼ି ନେତାଙ୍କ ସହ ଯୋଗସୂତ୍ର ରକ୍ଷା କରୁଥିଲେ  । ଯଦି ବବିଙ୍କୁ ଦଳ ଏଭଳି ଅପଦସ୍ତ କରାଏ ତେବେ ବିଜେଡ଼ି ପାଇଁ ତାହା ମହଙ୍ଗା ପଡ଼ିପାରେ ବୋଲି ତାଙ୍କର ସମର୍ଥକମାନେ ଆଲୋଚନା କରୁଛନ୍ତି  ।