ବିଜ୍ଞାନ ମେଳା; ୫୭ ପ୍ରକଳ୍ପ ପ୍ରଦର୍ଶିତ
ବାଙ୍କୀ: ଶ୍ରୀ ବିଦ୍ୟାବାଟିକା ତାଳବସ୍ତ ଠାରେ କୁନି କୁନି ପିଲାମାନଙ୍କ ଦ୍ୱାରା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୭ଜଣ ଛାତ୍ରଛାତ୍ରୀ ଭାଗନେଇ ବିଭିନ୍ନ ପ୍ରକାର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଦ୍ୟାଧରପୁର ନୋଡାଲ୍ ସ୍କୁଲର ବିଜ୍ଞାନ ଶିକ୍ଷକ ସଂଜୟ କୁମାର ଗୋଚ୍ଛି ଓ ଶିକ୍ଷୟିତ୍ରୀ ଚିନ୍ମୟୀ ବେହେରା ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଡମପଡ଼ା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସରପଞ୍ଚ ଶ୍ରୀମତୀ ମିଶ୍ର ଓ ଜ୍ୟୋର୍ତିମୟୀ ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଶ୍ରୀ ବିଦ୍ୟାବାଟିକାର ଚେୟାରମ୍ୟାନ୍ ରଞ୍ଜନ କୁମାର ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ । ଶ୍ରୀ ବିଦ୍ୟାବାଟିକା ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଶିବାନୀ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।