ବିଜୟ ଉତ୍ସବ ବିଭୀଷିକା ଆସିଥିଲେ ୨.୫ ଲକ୍ଷ ଫ୍ୟାନ
ବେଙ୍ଗାଲୁର: ଆରସିବି ବିଜୟ ଉତ୍ସବରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ଆଜି କର୍ଣ୍ଣାଟକ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । ବିଜୟ ଉତ୍ସବରେ ସାମିଲ୍ ହେବାକୁ ଅଢ଼େଇ ଲକ୍ଷ ଲୋକ ଆସିଥିବାବେଳେ ସରକାର ୧ ହଜାର ପୁଲିସ ମୁତୟନ କରିଥିଲେ । ହାଇକୋର୍ଟଙ୍କ ଶୁଣାଣୀ ବେଳେ କର୍ଣ୍ଣାଟକ ସରକାର କହିଥିଲେଯେ, ବୁଧବାର ଦିନ ଷ୍ଟାଡ଼ିୟମ ଓ ଷ୍ଟାଡ଼ିୟମ ବାହାରେ ୧ ହଜାର ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ସେହିପରି ପୁଲିସ କମିଶନର, ଡିସିପି ଓ ଏସିପିମାନେ ମଧ୍ୟ ଏମ. ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ପାଖରେ ଥିଲେ । ତେବେ ଗତକାଲି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସେଠାରେ ୫ ହଜାର ପୁଲିସ୍ ଥିଲେ ବୋଲି କହିଥିଲେ । ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଥିଲାଯେ, ସେଠାରେ ପାଣି ଟ୍ୟାଙ୍କର, ଆମ୍ବୁଲାନ୍ସ ଓ କଂଟ୍ରୋଲ ଭ୍ୟାନ ମଧ୍ୟ ଥିଲା । ଷ୍ଟାଡ଼ିୟମର ସାମର୍ଥ୍ୟ ୩୫ ହଜାର ଥିଲା । ଲୋକେ ମାଗଣା ପ୍ରବେଶ ଭାବି ବହୁ ସଂଖ୍ୟାରେ ଚାଲି ଆସିଥିଲେ । ପ୍ରାୟ ଅଢ଼େଇ ଲକ୍ଷ ଲୋକ ଏକାଠି ହୋଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟଯେ, ଆରସିବିର ବିଜୟ ଉତ୍ସବ ପାଇଁ ବୁଧବାର କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିଲା । ସକାଳ ୧୦ଟାରୁ ହିଁ ସେଠାକୁ ଲୋକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଥିଲା । ଅପରାହ୍ନ ବେଳକୁ ସେଠାରେ ଏତେ ଲୋକ ଗଦା ହୋଇଯାଇଥିଲେଯେ, ସୋରିଷ ପଡ଼ିବାକୁ ବି ଜାଗା ନଥିଲା । ତେବେ ନିକଟରେ ଥିବା ଏକ ସ୍ଥାନରେ ଡ୍ରେନ୍ ଉପରେ ଅସ୍ଥାୟୀ ସ୍ଳାବଟେ ପଡ଼ିଥିଲା । ବହୁତ ଲୋକ ଗଦା ହୋଇଯିବାରୁ ସ୍ଳାବଟି ଭାର ସହିପାରିନଥିଲା । ଫଳରେ ସ୍ଳାବଟି ଭାଙ୍ଗି ଡ୍ରେନ ଭିତରକୁ ଖସି ପଡ଼ିଥିଲା । ତେଣୁ ଲୋକମାନେ ଭୟରେ ଡ୍ରେନ୍ ଉପରୁ ଚାଲିଯାଇଥିଲେ । ଏହି କାରଣରୁ ଦଳାଚକଟା ଆରମ୍ଭ ହୋଇଯାଇଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା । ଅପରପକ୍ଷରେ ଠେଲାପେଲା ଆରମ୍ଭ ହୋଇଯିବାରୁ ପୁଲିସ୍ ବି ମୃଦୁ ଲାଠିଚାଳନା କରିଥିଲା । ଯାହାଫଳରେ ଦଳାଚକଟା ବଢ଼ିଯାଇଥିଲା ।