ଦୁବାଇରେ ପାକ୍ ଉପରେ ଟିମ୍ ଇଣ୍ଡିଆର ଷ୍ଟ୍ରାଇକ୍ : ‘ସୂର୍ଯ୍ୟ’ ‘ତିଳକ’ରେ ବିଜୟ ‘ଅଭିଷେକ’

 ଦୁବାଇ:  ଏସିଆ କପରେ, ଦୁବାଇ ଇଣ୍ଟର ନାସନାଲ ଷ୍ଟାଡ଼ିୟମରେ ପାକିସ୍ତାନ ଉପରେ ଟିମ୍ ଇଣ୍ଡିଆ ଧମାକାଦାର ଷ୍ଟ୍ରାଇକ୍ କରିଛି  । ପ୍ରଥମେ ବୋଲିଂରେ କୁଳଦୀପ, ଅକ୍ଷର ଓ ବୁମରା ପାକ୍ ଟିମକୁ ବାନ୍ଧି ଦେଇଥିବାବେଳେ ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଓ ଅଭିଷେକ ଶର୍ମା ଜବରଦସ୍ତ ପ୍ରହାର କରିଥିଲେ  । ପାକିସ୍ତାନ ଟିମ୍ ୨୦ ଓଭରରେ ୧୨୭ ରନ୍ କରିଥିବାବେଳେ ୧୫.୫ ଓଭରରେ ଭାରତ ୭ ୱିକେଟରେ ବିଜୟ ହାସଲ କରିଥିଲା  । 
ଦେଶପ୍ରେମ ନା ଟଙ୍କା ପ୍ରେମ  । ଏମିତି କଥା ଉଠାଇ ଭାରତ-ପାକ୍ ମ୍ୟାଚକୁ ଥୋକେ ବିରୋଧ କରିଥିଲେ  । ଆଜି ଦିନ ତମାମ ହାଇ ଭୋଲଟେଜ୍ ମ୍ୟାଚ୍ ଅପେକ୍ଷା ଏହି ବିବାଦ ବେଶ୍ ଚର୍ଚ୍ଚାରେ ଥିଲା  । କିନ୍ତୁ ରାତି ୮ ବେଳକୁ ସମସ୍ତଙ୍କ ମୁଡ୍ ବଦଳି ଯାଇଥିଲା  । ସମସ୍ତଙ୍କର ନଜର ଥିଲା ଟିଭି ପରଦାରେ  । ପାକିସ୍ତାନ ଟସ୍ ଜିଣି ବ୍ୟାଟିଂ ନେବାରୁ ବଲ୍ ଧରି ମଇଦାନକୁ ଓହ୍ଲାଇଥିଲା ଭାରତ  । ପାକିସ୍ତାନକୁ ବାନ୍ଧି ରଖିବାକୁ ଟିମ୍ ଇଣ୍ଡିଆ ନେଇଥିଲା ସଂକଳ୍ପ  । ପ୍ରଥମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ପାକ୍ ଓପନର ସାଇମ ଆୟୁବଙ୍କୁ କ୍ୟାଚ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ  । ପାକ୍ର ସ୍କୋର ମାତ୍ର ୬ ରନ୍ ଥିବାବେଳେ ମହମ୍ମଦ ହାରିସଙ୍କୁ ବୋଲଡ୍ କରି ଦେଇଥିଲେ ବୁମରା  । ଏହାପରେ ପାକ୍ ଟିମ୍ ସତର୍କତାର ସହ ଖେଳିଥିଲା  । ତେବେ ଦଳର ସ୍କୋର ୪୫ ଥିବାବେଳେ ଫଖର ଜମାନଙ୍କୁ ଆଉଟ୍ କରିଥିଲେ ଅକ୍ଷର ପଟେଲ  ।
ଏହାପରେ ଆରମ୍ଭ ହୋଇ ଯାଇଥିଲା ପାକ୍ ଟିମର ବିପର୍ଯ୍ୟୟ  । ନବମ ଓଭରର ଶେଷ ବଲରେ ସଲମାନ ଆଘାଙ୍କ ୱିକେଟ୍ ପଟେଲଙ୍କ ଖାତାକୁ ଯାଇଥିଲା  । ଏହା ପରେପରେ ହାସନ ନୱାଜଙ୍କୁ ଏଲବିଡବ୍ଳୁ୍ୟ କରି କୁଳଦୀପ ଯାଦବ ଭାରତକୁ ଆଉ ଏକ ସଫଳତା ଦେଇଥିଲେ  । ପରବର୍ତ୍ତୀ ବଲରେ କୁଳଦୀପ ମହମ୍ମଦ ନୱାଜଙ୍କ ୱିକେଟ ନେଇ ଭାରତୀୟ ଶିବିରରେ ଖୁସି ଖେଳାଇ ଦେଇଥିଲେ  । ୪୫ ରନ୍ରେ ପାକିସ୍ତାନର ୩ଟି ୱିକେଟ୍ ଯାଇଥିବାବେଳେ ଆଉ ମାତ୍ର ୨୦ ରନ୍ ଭିତରେ ଦଳ ଆଉ ୩ଟି ୱିକେଟ୍ ହରାଇ ମାନସିକସ୍ତରରେ ଭାଙ୍ଗି ଯାଇଥିଲା  । ୱିକେଟର ପତନ ସତ୍ତ୍ୱେ ପାକିସ୍ତାନର ରନ୍ କିନ୍ତୁ ଆଗକୁ ବଢ଼ିଥିଲା  । ବିଶେଷକରି ସାହିବଜାଦା ଫରହାନ୍ ୪୦ ରନର ଉପଯୋଗୀ ପାଳି ଖେଳିଥିଲେ  । ସେହିପରି ଟେଲଏଣ୍ଡ ଖେଳାଳୀ ସାହିନ୍ ଶାହା ଆଫ୍ରିଦି ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ  । ମାତ୍ର ୧୬ ରନରେ ସେ ୩୩ ରନ୍ କରିଥିଲେ  । ଶେଷ ଓଭରରେ ପାକିସ୍ତାନ ୧୬ ରନ୍ ସଂଗ୍ରହ କରିବାରୁ ପାକିସ୍ତାନ ୧୨୭ ରନର ସମ୍ମାନଜନକ ସ୍କୋର କରିଥିଲା  । ପାକିସ୍ତାନର ୬ ଖେଳାଳୀ ଦୁଇ ଅଙ୍କ ଛୁଇଁ ପାରିନଥିଲେ  ।
୧୨୮ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଦୁଇ ଓପନର ଅଭିଷେକ ବର୍ମା ଓ ଶୁବମନ ଗିଲ୍  । ଆରମ୍ଭରୁ ଦୁହେଁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ  । ତେବେ  ୨ ଓଭରରେ ଦଳର ସ୍କୋର ୨୨ ହୋଇଥିବାବେଳେ ଗିଲଙ୍କ ୱିକେଟ୍ ନେଇ ସାଇମ୍ ଆୟୁବ ପ୍ରଥମ ଝଟକା ଦେଇଥିଲେ  । ଏହାପରେ ଆହୁରି ଆକ୍ରମଣାତ୍ମକ ହୋଇଥିଲେ ଅଭିଷେକ  । ୧୩ ବଲରୁ ସେ ୨ ଛକା ଓ ୨ ଚଉକା ସହ ୩୧ ରନ୍ କରିଥିବାବେଳେ ଆୟୁବ ତାଙ୍କୁ ଆଉଟ୍ କରିଥିଲେ  । ସେତେବେଳକୁ ଭାରତର ସ୍କୋର ୩.୪ ଓଭରରେ ୪୧ ରନ୍ରେ ପହଁଚି ଯାଇଥିଲା  । ୨ଟି ୱିକେଟ୍ ପଡ଼ିଥିଲେବି ଭଲ ସ୍କୋର ହୋଇଥିବାରୁ ଟିମମେଟଙ୍କ ଉପରେ ସେତେଟା ଚାପ ପରିଲକ୍ଷିତ ହୋଇନଥିଲା  । ସେଥିପାଇଁ ସୂର୍ଯ୍ୟ କୁମାର ଯାଦବ ଓ ତିଳକ ବର୍ମା ଆଉ ଆଟାକିଂ ବ୍ୟାଟିଂ ନକରି ଜଗିରଖି ଖେଳିଥିଲେ  । ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ସେମାନେ ୫୬ ରନ୍ ଯୋଡ଼ିଥିବାବେଳେ ତିଳକ ବର୍ମା ୩୧ ରନ୍ କରି ଆଉଟ୍ ହୋଇଯାଇଥିଲେ  । ସେତେବେଳକୁ ଭାରତର ସ୍କୋର ୯୭ ରନ୍ରେ ପହଁଚି ଯାଇଥିଲା  । ପରେ ସୂର୍ଯ୍ୟ କୁମାର ଯାଦବଙ୍କ ସହ ଶିଭମ ଦୁବେ ଭାରତୀୟ ଟିମର ମଙ୍ଗ ସମ୍ଭାଳିଥିଲେ  । ଉଭୟ ଜଗିରଖି ଖେଳିବା ସହ ଭାରତକୁ ବେଶୀ କ୍ଷତି ହେବାକୁ ଦେଇନଥିଲେ  । ବିଜୟର ମୁଣ୍ଡି ମାରି ସୂର୍ଯ୍ୟକୁମାର ଭାରତକୁ ଦମଦାର ବିଜୟ ଦେଇଥିଲେ  ।