ବିଦ୍ୟାଳୟ ମରାମତି ନାଁରେ ସରକାରୀ ଅର୍ଥ ଆତ୍ମସାତ! 

କାଳିଆପାଣି : କାର୍ଯ୍ୟ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବା ଉପରେ ସରକାର ଗୁରୁତ୍ୱ ଦେବା ପୂର୍ବକ ତଦାରଖ କରିବା ପାଇଁ ପ୍ରତି ପଞ୍ଚାୟତରେ କନିଷ୍ଠଯନ୍ତ୍ରୀ ନିଯୁକ୍ତି କରିଛନ୍ତି । କିନ୍ତୁ ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତରେ ଏହା ସମ୍ପୂର୍ଣ ଓଲଟା ଦେଖିବାକୁ ମିଳିଛି । ପଞ୍ଚାୟତର ଘାଗିଆସାହି ଗ୍ରାମରେ ଥିବା ଚିରିଗୁଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟଟି ମରାମତି କରାଯାଉ ଥିବା ବେଳେ କାର୍ଯ୍ୟରେ ଅନିୟମିତା ଅଭିଯୋଗ ହୋଇଛି । ମରାମତି କାର୍ଯ୍ୟ କିଛି ହୋଇନଥିବା ବେଳେ କାନ୍ଥରେ କେବଳ ଟଚ୍ ଅଫ୍ କରାଯାଇ ୧୦ଲକ୍ଷ ଟଙ୍କା ଚଳୁ ଯୋଜନା କରାଯାଇଛି । ପୁରୁଣା ପ୍ଲାଷ୍ଟର ଉଠାଇ ନୂତନ ପ୍ଲାଷ୍ଟର କରିବା ପାଇଁ ଦାବି କରାଯାଉଥିଲେ ମଧ୍ୟ କେବଳ ଟଚ୍ ଅଫ କରି ରଙ୍ଗ ବୋଳି ଦିଆଯାଇଛି । ଜିଲା ଖଣିଜ ପାଣ୍ଠିରୁ ଅର୍ଥ ବିନିଯୋଗ ହୋଇଥିବା ବେଳେ ଏହି କାର୍ଯ୍ୟର ଠିକାଦାର ହେଉଛନ୍ତି ବିଭାଗୀୟ ଅଧିକାରୀ । କାର୍ଯ୍ୟରେ ୧୦ଲକ୍ଷର ଅର୍ଥ ବିନିଯୋଗ ହୋଇଥିବା ବେଳେ ତାହା କେବଳ ରଙ୍ଗ ବୋଳିବା କାର୍ଯ୍ୟରେ ସିମିତ ରଖାଯାଇଛି । ଫଳକରେ ସୂଚନା ଅନୁଯାୟୀ କାର୍ଯ୍ୟଟି ଯନ୍ତ୍ରୀ ଜ୍ଞାନରଞ୍ଜନ ବେହେରା ଓ ସହକାରୀ ଯନ୍ତ୍ରୀ ଆଶିଷ କୁମାର ବିଶ୍ୱାଳଙ୍କ ନାଁରେ ରହିଛି । ଅତଏବ ଉଭୟ ଯନ୍ତ୍ରୀ ଠିକାଦାର ସାଜିଛନ୍ତି । ହେଲେ ଠିକାଦାରୀ କିଏ କରୁଛି ତାହା ବିଦ୍ୟାଳୟର କମିଟି ଲୋକଙ୍କୁ ଜଣା ନାହିଁ ବୋଲି ଅଭିଯୋଗ ହୋଇଛି । କାମରେ ବ୍ୟାପକ ଅନିୟମିତତା ଦେଖି ଗ୍ରାମବାସୀ ବାରମ୍ବାର କନିଷ୍ଠଯନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ ରିସିଭ କରୁନଥିବା ବେଳେ ଗ୍ରାମବାସୀ ନିରୁପାୟ ହୋଇପଡ଼ିଛନ୍ତି । ଠିକାଦାର କୌଣସି ଭୁଲ କଲେ ତାକୁ ତଦାରଖ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ନିଯୁକ୍ତି କରାଯାଇ ଥିବା ବେଳେ ଯଦି ଏଠି ସରକାରୀ ଅଧିକାରୀ ଓ ଠିକାଦାର ସାଜି ସରକାରୀ ଅର୍ଥ ହରିଲୁଟ କରିବ ତେବେ ଶୁଣିବ କିଏ? ଜଣେ ପେଟି ଠିକାଦାର ହାତରେ କାର୍ଯ୍ୟ ଟେକି ଦେଇ ଯନ୍ତ୍ରୀ ଠିକାଦାର ବେଳେ ବେଳେ ଫଟୋ ଉଠାଇବା ପାଇଁ ଆସୁଛନ୍ତି ବୋଲି କୁହାଯାଉଛି । ଏନେଇ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ରିସିଭ କରି  ନ ଥିବାରୁ ମତାମତ ନିଆଯାଇପାରି ନଥିଲା । ଅନ୍ୟପକ୍ଷରେ ବିଡିଓ ରେଶ୍ମା ଟେଟେଙ୍କୁ ଯୋଗା ଯୋଗ କରାଯାଇଥିଲେ ହେଁ ସେ କାର୍ଯ୍ୟବ୍ୟସ୍ତରେ ଥିବା କହି ଫୋନ୍ କାଟି ଦେଇଥିଲେ । ଖଣି ଅଞ୍ଚଳରେ ଖଣିଜ ପାଣ୍ଠିର ବିନିଯୋଗ ଯଦି ଏମିତି ହୁଏ, ତେବେ ଲକ୍ଷଲକ୍ଷ ଟଙ୍କା ଯନ୍ତ୍ରୀ-ପେଟି ଠିକାଦାରଙ୍କୁ ପକେଟକୁ ଯିବ ଯାହା । ଲକ୍ଷ କିନ୍ତୁ ସାଧନ ହୋଇପାରିବନି ।