ବିଶ୍ୱର ଜ୍ଞାନ ପେଣ୍ଠସ୍ଥଳୀ ହେବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର  : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୧ତମ ସମାବର୍ତ୍ତନ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ତାଙ୍କ ଉଦ୍ବୋଧନରେ କହିଥିଲେ କି, "ଦିଲ୍ଲୀ ବିଶ୍ୱବିଦ୍ୟାଳୟ ହେଉଛି ଦେଶର ଅମୂଲ୍ୟ ଐତିହ୍ୟ । ଜ୍ଞାନ, ବିଜ୍ଞାନ ଏବଂ ବିଚାରର ପ୍ରୟୋଗଶାଳା । ଆଗାମୀ ଦିନରେ ଏହା ବିଶ୍ୱର ଜ୍ଞାନ ପେଣ୍ଠସ୍ଥଳୀ ହେବ । ବିଗତ ଦିନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ରାଷ୍ଟ୍ରର ନେତୃତ୍ୱ ନେଇଛି । ଭାରତର ପ୍ରତ୍ୟେକ କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକମାନେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପ୍ରତିନିଧିତ୍ୱ କରୁଛନ୍ତି । ଏହା କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ବରଂ ଏକ କ୍ଷୁଦ୍ର ଭାରତ । ୧୦୧ ବର୍ଷରେ ଉପନୀତ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବିଗତ ବର୍ଷରେ ଆୟୋଜିତ ସମାବର୍ତ୍ତନ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକୃଷ୍ଣନ, ଡ. ଏପିଜେ ଅବଦୁଲ କଲାମ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ରାଷ୍ଟ୍ରପତି  ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି ।' ସେହି ବିଶ୍ୱବିଦ୍ୟାଳୟରେ ଅତିଥି ଭାବେ ଯୋଗଦେବା ମୋ ପାଇଁ ଗର୍ବର ବିଷୟ । ଏହି ସମାରୋହରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ସିଂହ ଯୋଗଦେଇଥିଲେ ।