ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ
ସାରସକଣା: ମୟୂରଭଞ୍ଜ ଜିଲ୍ଲା ତିନିରାଜ୍ୟ ସୀମାନ୍ତ ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ ଐତିହ୍ୟ ପୀଠ ମେରୁମଠ ଠାରେ ବାର୍ଷିକ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ଓ ସାଧୁଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ମହା ଆଡମ୍ବରରେ ଶତାଧିକ ସାଧୁସନ୍ଥ ଓ ଜନସାଧାରଣଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଖଣ୍ଡ ଝାଡବତୀ ପ୍ରଜ୍ୱଳନ ଓ ଅଖଣ୍ଡ ବ୍ରହ୍ମଧୂନୀରେ ଘୃତାହୂତୀ ପ୍ରଦାନ କରି ବିଶ୍ୱଜନ ପ୍ରାଣୀମାନଙ୍କର ସର୍ବବିଧ ମଙ୍ଗଳ ନିମନ୍ତେ ଅଲେଖ ପରମବ୍ରହ୍ମଙ୍କ ନିକଟରେ ହାର୍ଦ୍ଦିକ ସମୂହ ପ୍ରଭୁ ପ୍ରାର୍ଥନା କରିବାର ବ୍ୟବସ୍ଥା କରାଯାଇଥିଲା । ଏଥିସହିତ କୌପନୀଧାରୀ ମହିମା ସମାଜ ଅନ୍ତର୍ଭୁକ୍ତ ମୟୂରଭଞ୍ଜ ଜିଲ୍ଲାର ସାଧୁ ସନ୍ଥଙ୍କ ସହିତ, ଝାରଖଣ୍ଡ ରାଜ୍ୟ ପୂର୍ବ ସିଂଭୂମ ଓ ପଶ୍ଚିମବଙ୍ଗ ରାଜ୍ୟ ମେଦିନିପୁର ଅଂଚଳର ସମସ୍ତ ସନ୍ନ୍ୟାସୀ ଓ ଭକ୍ତମାନଙ୍କୁ ନେଇ ଏକ ବାର୍ଷିକ ବୈଠକ ଆୟୋଜନ ହୋଇଥିଲା । ଉକ୍ତ ଉତ୍ସବ ପର୍ବରେ କୌପନୀଧାରୀ ମହିମା ସମାଜ ମୁଖ୍ୟଧାମ ମହିମାଗାଦିରୁ ସନ୍ନ୍ୟାସୀ, ମୟୂରଭଞ୍ଜ ମହିମା ଆଶ୍ରିତ ସମସ୍ତ ଭକ୍ତବୃନ୍ଦ, ମଠ ପରିଚାଳନା କମିଟିର ସଭ୍ୟବୃନ୍ଦ ଓ ବିଶିଷ୍ଟ ଧର୍ମପ୍ରାଣ ସଜ୍ଜନ ମଣ୍ଡଳୀ ଯୋଗଦାନ କରିଥିଲେ । ପ୍ରତ୍ୟେକ ଦିନ ସାର୍ବଜନୀନ ପ୍ରସାଦ ସେବନ ନିମନ୍ତେ ବ୍ୟବସ୍ଥା ହୋଇଥିଲା । ପୋଡ଼ଶୀ ତିନିରାଜ୍ୟର ସହ ସହ ଲୋକେ ଏହି ଅବସରରେ ମଠରେ ଉପସ୍ଥିତ ହୋଇ ସାଧୁଙ୍କ ଆଶୀର୍ବାଦ ଲାଭ କରିଥିଲେ ବୋଲି ମଠାଧୀଶ ବାବା ବିମ୍ବାଧର ଦାସ ଓ ବାବା ସଞ୍ଜୟ ଦାସ ପ୍ରମୁଖ ସୂଚନା ଦେଇଛନ୍ତି ।