ବିସ୍ଥାପିତଙ୍କୁ ଥଇଥାନ ପାଇଁ ଦାବି 

ବାଲେଶ୍ୱର :  ବାଲେଶ୍ୱର ସହର ଓ ଉପକଣ୍ଠ ଅଞ୍ଚଳରେ ରେଳ ବିଭାଗ ଜମିରେ ଅବୈଧ ଭାବେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ନିକଟ ଅତୀତରେ ଉଚ୍ଛେଦ କରାଯାଇଥିବା ବେଳେ ସେମାନଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ବାରମ୍ବାର ଦାବି ହୋଇ ଆସିଛି । ଉଚ୍ଛେଦ ହୋଇଥିବା ଗରିବ ବସ୍ତିବାସିନ୍ଦାଙ୍କୁ ଥଇଥାନ ଉଦେ୍ଦଶ୍ୟରେ ବାସପୋଯୋଗୀ ଜମିପଟ୍ଟା ପ୍ରଦାନ ନେଇ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଜାଣିବାକୁ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ବିଶେଷ କରି ଅରଡବଜାର, ଗଳାପୋଲ ଓ ଗୋଧିବସା ଅଞ୍ଚଳର ରେଳ ବିଭାଗ ଜମିରୁ ଉଚ୍ଛେଦ ହୋଇଥିବା ଗରିବ ତଥା ଭୂମିହୀନ ଆଦିବାସୀ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ବାଲେଶ୍ୱର ସହର ନିକଟବର୍ତ୍ତୀ ସ୍ଥାନରେ ଥଇଥାନ ନିମନ୍ତେ ଜମି ଆବଣ୍ଟନ ପାଇଁ ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ଦତ୍ତ ଦାବି ଉଠାଇଥିଲେ । ଏହି କ୍ରମରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଅଦ୍ୟାବଧି ଥଇଥାନ ହୋଇଥିବା ବ୍ୟକ୍ତିଙ୍କ ତାଲିକା ପ୍ରଦାନ ନିମନ୍ତେ ସେ ଆଗ୍ରହ ପ୍ରକାଶ କରିଥିଲେ । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଅଦ୍ୟାବଧି ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ବିବେଚିତ ଭୂମିହୀନ ପରିବାରଙ୍କୁ ଥଇଥାନ ପାଇଁ ପ୍ରକ୍ରିୟା ଜାରି ରହିଛି । ଅରଡବଜାର, ଗଳାପୋଲ ଓ ଗୋଧିବସା ଅଞ୍ଚଳର ରେଳ ବିଭାଗ ଜମିରୁ ଉଚ୍ଛେଦ ହୋଇଥିବା ରଶ୍ମୀ ସିଂ, ମୁଖୀ ହେମ୍ରମ, ଗୋପୀନାଥ ସିଂ, ମହେଶ୍ୱର ସିଂ, ସୀତା ସିଂ (ସ୍ୱାମୀ ମନ ସିଂ) ଓ ବୁଧିନି ସିଂ ପ୍ରମୁଖ ଆଦିବାସୀ ପରିବାରକୁ ଯୋଗ୍ୟ ବିବେଚିତ ସହ ପଟ୍ଟା ପ୍ରଦାନ ପାଇଁ ଚୟନ କରାଯାଇଛି । ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ଓ ଉଚ୍ଛେଦ ହେଉଥିବା ଲୋକଙ୍କୁ ଥଇଥାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ସଦର ବ୍ଲକର ନଗ୍ରମ ରାଜସ୍ୱ ନିରୀକ୍ଷକ ଅଧୀନ କସବା ଗ୍ରାମରେ (ଖାତା ସଂଖ୍ୟା ୬୫୫, ଖସଡା ୨୦୬୦/୨୨୧୩, କିସମ- ବସ୍ତିଯୋଗ୍ୟ) ଓ ବାଲେଶ୍ୱର ଟାଉନ ରାଜସ୍ୱ ନିରୀକ୍ଷକ ଅଧୀନ ହରିଡା ଗ୍ରାମରେ (ଖାତା ସଂଖ୍ୟା ୧୫୧, ଖସଡା ୪୧୯, କିସମ ବସିଯୋଗ୍ୟ) ସରକାରୀ ଜମି ଚିହ୍ନଟ କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।