ବିହାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭଙ୍ଗାରୁଜାକୁ ଭକ୍ତଙ୍କ ଦୃଢ ନିନ୍ଦା
ଭୁବନେଶ୍ୱର : ଭୋଟ ଚୋରିର ପର୍ଦ୍ଦାଫାସ କରି ସାରା ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧିଙ୍କ ବିହାରରେ “ ଭୋଟ ଅଧିକାର ଯାତ୍ରା ” ବର୍ତ୍ତମାନ ବିପୁଳ ଜନ ସମର୍ଥନ ହାସଲ କରୁଛି । ଏହି ପରିପ୍ରେଷୀରେ ଅସହିଷ୍ଣ୍ଣୁ ବିଜେପି ଦଳ ହୀନ ଚକ୍ରାନ୍ତ କରି ରାଜ୍ୟରେ ହିଂସାକାଣ୍ଡ ଭିଆଉଛି । ଯାହାର ଊଦାହରଣ ଆଜି ବିହାରରେ ଘଟିଥିବା ଘଟଣାରୁ ଜଣାଯାଉଛି । ଗତ ୨୭ ତାରିଖ ରାହୁଳ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରାକୁ ଭଣ୍ଡୁର କରିବା ପାଇଁ ବିହାରରେ ବିଜେପି ତାର ସଂଖ୍ୟାଲଘୁ ବିଭାଗର ଜଣେ କର୍ମୀଙ୍କୁ ନିୟୋଜିତ କରିଥିଲା । ଊକ୍ତ କର୍ମୀ ପ୍ରଧାନମନ୍ତ୍ରୀଙ୍କର ସ୍ୱର୍ଗୀୟା ମାଆଙ୍କୁ ଗାଳି ଦେଇଥିଲା । ସଦାକତ ଆଶ୍ରମ ଯାହା କି ଏବେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଛି ଏବଂ ଉକ୍ତ ଆଶ୍ରମ ଏକଦା ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କର ବାସଭବନ ଥିଲା । ସେଠାରେ ଆଜି ବିଜେପିର ଗୁଣ୍ଡାବାହିନୀ ପ୍ରବେଶ କରି ବ୍ୟାପକ ହିଂସାକାଣ୍ଡ ଭିଆଇବା ସହ ଭଙ୍ଗାରୁଜା କରିଥିଲେ । ଏହି ଘଟଣାକୁ ପାଟନା ଗସ୍ତରେ ଥିବା ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଆଜି ପାଟନାଠାରେ ବରିଷ୍ଟ କଂଗ୍ରେସ ନେତୃବୃନ୍ଦଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମଳନୀରେ ଦୃଢ ନିନ୍ଦା କରିଛନ୍ତି । ସେ କହିଥିଲେ ଗତ ୨୭ ତାରିଖ ଦରଭଙ୍ଗାରେ ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ଉକ୍ତ ବିଜେପି କର୍ମୀ । ଏହି ସମୟରେ ରାହୁଲ ଗାନ୍ଧି ଉପସ୍ଥିତ ନ ଥିଲେ । ସାଧାରଣ ଜନତା ଏଭଳି ଘଟଣାରେ କେବେ ବି ବିଜେପିକୁ କ୍ଷମା ଦେବେ ନାହିଁ । ବିଜେପିର ଏହି ହୀନ ଚକ୍ରାନ୍ତ ଆଜି ସମସ୍ତଙ୍କ ସାମନାକୁ ଚାଲି ଆସିଛି । ବିଜେପିର ଅସଲ ଚରିତ୍ର ଓ ଚେହେରା ଆଜି ଆଉ କାହାକୁ ଅଛପା ନାହିଁ । ଶ୍ରୀ ଦାସ କହିଛନ୍ତି ଯେ, ଭୋଟ ଚୋରି ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବାବେଳେ ଏବଂ ଏହି ପ୍ରସଙ୍ଗରେ ରାହୁଳ ଗାନ୍ଧିଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖି ଭୋଟ ପ୍ରସଙ୍ଗକୁ ଏଡେଇବା ପାଇଁ ନୂଆ ଉପାୟ ଅବଲମ୍ବନ କରୁଛନ୍ତି ।