ବୃତ୍ତି ପାଉଛନ୍ତି କି ? ତେବେ ସୁଭଦ୍ରା ଯୋଜନାରୁ ପଡ଼ିପାରନ୍ତି ବାଦ୍ : ଜାଣିରଖନ୍ତୁ ସମ୍ପୁର୍ଣ୍ଣ ସୂଚନା....
ସୁଭଦ୍ରା ଯୋଜନାରେ ସରକାରଙ୍କ ବଡ଼ ଘୋଷଣା । ୧୮ ହଜାରରୁ ଅଧିକ ବୃତ୍ତି ପାଉଥିଲେ ସୁଭଦ୍ରା ପାଇବେନି ଛାତ୍ରୀ । କୌଣସି ମହିଳା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଆର୍ଥିକ ସହାୟତା ପାଉଥିଲେ, ସେମାନେ ଯୋଜନାରେ ଅଯୋଗ୍ୟ ବିବେଚିତ ହୋଇ ସୁଭଦ୍ରାରୁ ବାଦ୍ ପଡ଼ିବେ । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶିକା ମୋନିସା ବାନାର୍ଜୀ ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ଯେ, ‘ସୁଭଦ୍ରା’ ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ତେବେ ସମ୍ପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହେବେ । ଯାହାକୁ ନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି । ଛାତ୍ରୀମାନଙ୍କୁ ଯେଉଁ ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଉଛି ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇ ପାରୁନାହିଁ । ସେ ସମ୍ପର୍କରେ ବିସ୍ତୃତ ଯାଞ୍ଚ କରି ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ, ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଧିଷ୍ଟ ଫର୍ମାଟରେ ୨୦୨୩ -୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାରରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା’ର ସମସ୍ତ ତଥ୍ୟ ପ୍ରଦାନ ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।