ବେଧଡ଼କ ଚାଲିଛି ନକଲି ମୃଦୁ ପାନୀୟ କମ୍ପାନୀ 

 କାକଟପୁର: କାକଟପୁରରେ  ବିନା ଲାଇସେନ୍ସରେ ଏକାଧିକ ନକଲି ପାଣିପାଉଚ କମ୍ପାନୀ । ମିନେରାଲ ୱାଟର ସାଙ୍ଗକୁ ବିଭିନ୍ନ ପ୍ରକାର ନକଲି ଥଣ୍ଡା ଓ ସୋଢା ଆଦି ପାନୀୟ ଜଳର ବେନାମୀ କାରଖାନା ଓ ବିକ୍ରି ବେଧଡକ ଭାବେ ଚାଲିଛି । ବିନା ଲାଇସେନ୍ସ ଓ ବିନା ଟେଷ୍ଟିଙ୍ଗିରେ ଏହି ନକଲି ଥଣ୍ଡା ପାନୀୟକୁ ଉତ୍ପାଦନ କରୁଥିବା ବେନାମୀ କାରଖାନା ମାଲିକ ଓ ବଜାରରେ ଏହି ନକଲି ଥଣ୍ଡା ପାନୀୟକୁ ବିକ୍ରୟ କରୁଥିବା ଦୋକାନୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉ ନଥିବାରୁ ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ନକଲି ଥଣ୍ଡା ପାନୀୟକୁ ସେବନ କରିବା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାର ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । 
ଅଧିକାଂଶ ଦୋକାନରେ ଯେଉଁ କମ୍ପାନୀ ଗୁଡିକର ପାଣି ପାଉଚ୍, ବୋତଲ ପାଣି ଏବଂ ଥଣ୍ଡା ବିକ୍ରି ହେଉଛି ସେହି କମ୍ପାନୀ ଗୁଡିକ ମଧ୍ୟରୁ ଅଧିକାଂଶ କମ୍ପାନୀ ସରକାରଙ୍କ ଗାଇଡ୍ଲାଇନ ଅନୁସାରେ ପାଣି ଓ ଥଣ୍ଡା ପ୍ୟାକିଙ୍ଗି କରୁଛନ୍ତି କି ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ବଜାରରେ ବିକ୍ରୟ ହେଉଥିବା ଅନେକ ପାଣି କମ୍ପାନୀର ପାଣି ବୋତଲ, ପାଣି ପାଉଚ୍ ଓ ଥଣ୍ଡାର ବ୍ୟବହାର ଓ ଅବଧି ସମ୍ପର୍କରେ କୌଣସି ସୂଚନା ନାହିଁ । ଅପରପକ୍ଷରେ ଏଠାକାର କେତେକ ବେନାମୀ କାରଖାନାର ମାଲିକ ଅଧିକ ଲାଭ ପାଇବା ଆଶାରେ ବାହାରୁ ନାମୀଦାମୀ କମ୍ପାନୀର ଲୋଗ ଥିବା ଜରି ଓ ଖାଲି ବୋତଲ କ୍ରୟ କରି ଶ୍ରମିକଙ୍କ ଦ୍ୱାରା ଅସ୍ୱାସ୍ଥ୍ୟକର ପରିବେଶରେ ଦୂଷିତ ଜଳ ସାଥିରେ ବିଭିନ୍ନ ପ୍ରକାର ଥଣ୍ଡାର ଫଲେଭର ପାଣିରେ ମିଶାଇ ସେଥିରେ କିଛି ଗ୍ୟାସ ଭର୍ତ୍ତି କରି ବୋତଲକୁ ସିଲ କରି ବଜାରକୁ ଛାଡୁଛନ୍ତି । ପାଣି ଓ ଥଣ୍ଡା ଉତ୍ପାଦନ କରିବା ପାଇଁ ସରକାରଙ୍କ ଏକାଧିକ ନୀତି ନିୟମ ରହିଛି । କମ୍ପାନୀର ଟ୍ରେଡ଼ମାର୍କ, ପାଣିର ଟେଷ୍ଟିଙ୍ଗି ସାର୍ଟିଫିକେଟ, ଲାବୋରଟାରୀ ସାର୍ଟିଫିକେଟ, ବିଏସ୍ଆଇ, ଆଇଏସ୍ଆଇ ମାନ୍ୟତା ସାର୍ଟିଫିକେଟ, ଫୁଡ୍ ଲାଇସେନ୍ସ ଆଦି ନିୟମ ରହିଛି । ଏଠାରେ ତଥାକଥିତ ବେନାମୀ ପାଣି କମ୍ପାନୀ ଉପରୋକ୍ତ ସର୍ତ୍ତାବଳୀକୁ ଗୁରୁତ୍ୱ ନଦେଇ କେବଳ ଲୋକ ଦେଖାଣିଆ ଭାବେ ଫୁଡ ଲାଇସେନ୍ସଟିଏ ହାତେଇ ପାଣି ଉତ୍ପାଦନ ହେଉଥିବା କାରଖାନା କାନ୍ଥରେ ଟାଙ୍ଗୀ ଦେଇ ବେପାର ଚଳାଇ ଆସୁଛନ୍ତି । ଏହି ପାଣି ପାଉଚ୍ ଓ ଥଣ୍ଡା ବୋତଲ ଗୁଡିକ କିଛି ଦିନ ରହିବା ପରେ ଗନ୍ଧ ବାହାରୁଥିବା ବେଳେ ସ୍ୱାଦ ମଧ୍ୟ ଅଲଗା ଲାଗୁଥିବା ଅଭିଯୋଗ ହେଉଛି । ପାଣି ଓ ଥଣ୍ଡା ପ୍ୟାକିଙ୍ଗି ପୂର୍ବରୁ ଏହାର ନମୁନା ବିଆଇସି ଲ୍ୟାବକୁ ପଠେଇ ଏହାର ଗୁଣବତ୍ତା ଯାଞ୍ଚ କରିବା ଆବଶ୍ୟକତା ରହିଛି । ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ସହ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନକରି ଅଚାନକ ଭାବେ ବେନାମୀ ପାଣି ଓ ଥଣ୍ଡା ପ୍ରସ୍ତୁତି କାରଖାନା ଓ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଚଢାଉ କରି ଉତ୍ପାଦିତ ପାଣି ଓ ଥଣ୍ଡାର ନମୁନା ସଂଗ୍ରହ କରି ଜଳର ଶୁଦ୍ଧତା ଓ ଗୁଣବତ୍ତା ରହିଛି ଜଣା ପଡିବ ।