ବୈଶିଙ୍ଗା ଡାକ୍ତରଖାନାର ଉନ୍ନତିକରଣ ପାଇଁ ଦାବି
ବୈଶିଙ୍ଗା: ମୟୂରଭଞ୍ଜ ମହାରାଜାଙ୍କ ଦ୍ୱାରା ୧୯୨୫ ମସିହାରେ ବୈଶିଙ୍ଗା ଓ ଏହାର ଆଖପାଖ ଅଞ୍ଚଳର ୫୦/୬୦ ଖଣ୍ଡ ମୌଜାର ଜନ ସାଧାରଣଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ବୈଶିଙ୍ଗା ଠାରେ ଏକ ଆଞ୍ଚଳିକ ଡାକ୍ତରଖାନା ସ୍ଥାପନା କରଯାଇଥିଲା । ଏହି ଡାକ୍ତରଖାନାଟି ସ୍ଥାପନାର ଶତବାର୍ଷିକୀ ପୂର୍ତ୍ତି ହେବାକୁ ଯାଉଥିବା ସହିତ ସ୍ୱାଧୀନତାର ୭୭ ବର୍ଷ ପୁରି ଯାଇଥିଲେ ମଧ୍ୟ ଆଜି ବି ସେହି ଆଞ୍ଚଳିକ ଡାକ୍ତରଖାନାର ମାନ୍ୟତା ବଜାୟ ରଖିଛି । ଏହି ୭୭ ବର୍ଷ ମଧ୍ୟରେ ଗଣତାନ୍ତ୍ରିକ ପଦ୍ଧତିରେ କେତେ ସରକାର ଆମକୁ ଶାସନ କରି ଚାଲିଗଲେଣି । ମାତ୍ର ସ୍ୱାସ୍ଥ୍ୟସେବା ନାମରେ ସରକାର କେତେ କେତେ ଟଙ୍କା ବ୍ୟୟ ବରାଦ କରୁଛନ୍ତି ତାର ହିସାବ ନାହିଁ । ବୈଶିଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରଥମ ଡାକ୍ତରଖାନା ବୈଶିଙ୍ଗା ଠାରେ ପ୍ରତିଷ୍ଠାର ବହୁ ବର୍ଷ ପରେ ଆଖପାଖ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ତତ୍କାଳୀନ ସରକାରଙ୍କ ଦ୍ୱାରା ସ୍ଥାପନା କରାଯାଇଛି । ମାତ୍ର ବୈଶିଙ୍ଗା ଡାକ୍ତରଖାନା ପ୍ରତି କାହାରି ନଜର ରହିଲା ନାହିଁ । ଏଥିପାଇଁ ଚାରିବର୍ଷ ତଳେ ଆଞ୍ଚଳିକ ବିକାଶ ପରିଷଦ ନାମରେ ଏକ ସଂଗଠନ ଗଠନ କରାଯାଇ ଡାକ୍ତରଖାନାର ଉନ୍ନତିି ପାଇଁ ସଂଘର୍ଷ ଜାରି ରହିଛି । କୋଭିଡ୍ର ଭୟାବହତା ବେଳେ ଟୀକାକରଣ ସମୟରେ ଯେଉଁଭଳି ଅବ୍ୟବସ୍ଥା ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା ତାହାକୁ ଅନୁଧ୍ୟାନ କରି ଏହି ଡାକ୍ତରଖାନାଟିକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପୂର୍ବ ସରକାରଙ୍କୁ ଅବଗତ କରାଯାଇଥିଲା । ମାତ୍ର ଗୋଟିଏ ବ୍ଲକରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେବା ପରିପ୍ରେକ୍ଷୀରେ ବୈଶିଙ୍ଗା ଡାକ୍ତରଖାନାରେ ଟ୍ରମା ସେଣ୍ଟର କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ଅନୁଯାୟୀ ଜିଲ୍ଲାର ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଲାଗିଲା । ମାତ୍ର ବୈଶିଙ୍ଗା ଡାକ୍ତରଖାନାରେ ଟ୍ରମା ସେଣ୍ଟର ହୋଇପାରିଲାନାହିଁ । ଏହି ଡାକ୍ତରଖାନାର ଉନ୍ନତି ପାଇଁ ବିଧାୟକ ସନାତନ ବିଜୁଳି ପୂର୍ବ ସରକାର ସମୟରେ ବାରମ୍ୱାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନୂଆ ମୋହନ ସରକାରଙ୍କ ନଅ ମାସ କାର୍ଯ୍ୟକାଳ ମଧ୍ୟରେ ପୁଣି ସେହି ଅଭିଯୋଗ ଉଠାଇଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇପାରିନାହିଁ । ତଥାପି ଆଞ୍ଚଳିକ ବିକାଶ ପରିଷଦର ଦାବିକୁ ସରକାର ପୂରଣ କରିବେ ଆଶାବାଦୀ ଅଛନ୍ତି ।