ଗାଡ଼ି ଧକ୍କାରେ ୫ବର୍ଷର ନାବାଳକ ମୃତ
ପୁରୀ : ଆଜି ସକାଳ ସମୟରେ ପୁରୀ ବଳଗଣ୍ଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗାଡ଼ି ଧକ୍କାରେ ଚାଲିଗଲା ୫ ବର୍ଷୀୟ ନାବାଳକର ଜୀବନ । ଅନ୍ୟ ୨ଗୁରୁତର ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଜି ସକାଳ ସମୟରେ ସ୍କୁଟି ଯୋଗେ ମୃତକ ନାବାଳକ ତାଙ୍କ ଜେଜେଙ୍କ ସହ ବଳଗଣ୍ଡି ଛକକୁ ଜଳଖିଆ ପାଇଁ ଆସିଥିଲେ । ଜଳଖିଆ କିଣିବା ପରେ ଉଭୟ ଘରରକୁ ଫେରୁଥିଲେ । ଫେରିବା ସମୟରେ ବଳଗଣ୍ଡି ଛକ ନିକଟରେ ପଛପଟୁ ଆସୁଥିବା ଏକ ବୋଲେରୋ ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିଲା । ଜେଜେ ତଳେ ପଡିଯିବା ପରେ ବୋଲେରୋଟି ଛୋଟ ପିଲାଟିକୁ ଘୋଷାଡି ନେଇଥିଲା । ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଫେରାର ହେଉଥିବା ସମୟରେ ସ୍ଥାନୀୟ ଲୋକ ଡ୍ରାଇଭରକୁ କାବୁ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଛନ୍ତି । ଏହାଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ବୋଲେରୋ ଡ୍ରାଇଭରକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
Samir Kumar Rout