ବ୍ରାହ୍ମଣୀ ବଞ୍ଚାଅ ଅଭିଯାନର ଦାବିପତ୍ର
ଧର୍ମଶାଳା: ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ କମିଟି ପକ୍ଷରୁ ଆବାହକ କିଶାନ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଜଳସମ୍ପଦ ବିଭାଗ ଚଣ୍ଡିଖୋଲ ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।୧୨ବର୍ଷ ପୂର୍ବରୁ ବ୍ରାହ୍ମଣୀ ବଂଚାଅ ଅଭିଯାନ ଧର୍ମଶାଳା ଓ ବରୀ ଅଞ୍ଚଳରେ ମୁଣ୍ଡ ଟେକିଥିଲା । ପୁନଶ୍ଚ ଧର୍ମଶାଳାରେ ଆବାହକ ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ବ୍ରାହ୍ମଣୀ ବଂଚାଅ ଅଭିଯାନ କ୍ରିୟାଶୀଳ ହୋଇଛି । ଜେନାପୁର, ଯୋକଡ଼ିଆ ଓ ବେଦୀପୁର ଠାରେ ବ୍ୟାରେଜ ନିର୍ମାଣ କରିବାକୁ ଦାବି କରାଯାଇଛି । ଅଭିଯାନରେ ଶ୍ରୀପଣ୍ଡାଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ସୁରେଶ ସାହାଣୀ, କୃଷକ ନେତା ବସନ୍ତ ପରିଡ଼ା, ବ୍ଲକ ସଂଯୋଜକ ପ୍ରଫୁଲ୍ଲ ରାୟ, ପୂର୍ବତନ ସମିତିସଭ୍ୟ ନକୁଳ ଜେନା, ଦଳିତସେଲ ସଭାପତି ବାବୁଲି ମଲିକ, ଯୁବନେତା ସଂଜୟ କୁମାର ରାଉତ, ଗଗନ ବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଏନେଇ ବ୍ୟାରେଜ ନିର୍ମାଣ ହେବା ନେଇ ସର୍ଭେ ଚାଲିଛି ଏବଂ ଜେନାପୁର ଯୋକଡ଼ିଆ ସମେତ ଯାଜପୁରରେ ୭ଗୋଟି ଷ୍ଟ୍ରକଚର ନିର୍ମାଣ ହୋଇଛି ବୋଲି ବିଭାଗୀୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ କହିଛନ୍ତି । ସର୍ଭେ ପରେ ବ୍ୟାରେଜ କାମ ଆରମ୍ଭ ହେବ ବୋଲି ଶ୍ରୀ ପୁରୋହିତ ଆଶାପ୍ରକଟ କରିଛନ୍ତି । କମିଟିର ଦାବି ପୂରଣ ନହେବା ଯାଏ ବ୍ରାହ୍ମଣୀ ବଞ୍ଚାଅ ଅଭିଯାନକୁ ଜୋରଦାର କରାଯିବ ବୋଲି କୁହାଯାଇଛି ।