ବଢ଼ିଲା ମନ୍ତ୍ରୀ ଓ ବାବୁଙ୍କ ଗାଡ଼ି ଖର୍ଚ୍ଚ
ଭୁବନେଶ୍ୱର: ତେଲ ଦର ବୃଦ୍ଧି ପାଇଛି । ସେପଟେ ଗାଡ଼ିର ରକ୍ଷଣାବେକ୍ଷଣ ଓ ଡ୍ରାଇଭର ଦରମା ଆଦି ବି ବଢ଼ିଛି । ତେଣୁ ଗାଡ଼ଭଡ଼ା ଖର୍ଚ୍ଚ ବି ବଢ଼ିଚାଲିଛି । କିନ୍ତୁ ରାଜ୍ୟରେ ମନ୍ତ୍ରୀ ଓ ଅଫିସରମାନେ ପୁରୁଣା ଦରରେ ଗାଡ଼ି ଭଡ଼ା ପାଉଥିଲେ । ଏସବୁ ଅନୁଧ୍ୟାନ କରି ରାଜ୍ୟ ସରକାର ଆଜି ମନ୍ତ୍ରୀ ଓ ଅଫିସରମାନଙ୍କର ଗାଡ଼ି ଭଡ଼ା ବୃଦ୍ଧି କରିଛନ୍ତି । ମନ୍ତ୍ରୀମାନେ ଏଣିକି ଗାଡ଼ି ଭଡ଼ା ବାବଦରେ ୫୦ ହଜାର ୪ ଶହ ଟଙ୍କା ପାଇବେ । ସେହିପରି ଜିଲ୍ଲାପାଳ ଓ ଏସପିମାନଙ୍କର ଗାଡ଼ି ଭଡ଼ା ଖର୍ଚ୍ଚ ୪୪ ହଜାର ୪ ଶହ ଟଙ୍କାକୁ ବୃଦ୍ଧି ପାଇଛି । ଅପରପକ୍ଷରେ ବ୍ଳକ, ତହସିଲ, ଫିଲ୍ଡ ଅଫିସ ଗାଡ଼ି ଖର୍ଚ୍ଚ ମଧ୍ୟ ୩୭ ହଜାର ୨ ଶହ ଟଙ୍କାକୁ ବଢ଼ିଛି । ଯେତେବେଳେକି ପ୍ରମୁଖ ସଚିବମାନେ ୩୬ ହଜାର ଓ ସ୍ୱତନ୍ତ୍ର ସଚିବମାନେ ୩୧ ହଜାର ୨ ଶହ ଟଙ୍କା ଗାଡ଼ି ଭଡ଼ା ଖର୍ଚ୍ଚ ବାବଦକୁ ପାଇବେ ।