ଭସାଣି ଉତ୍ସବରେ ଦୁଲୁକିଲା ଅଞ୍ଚଳ

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହର ଐତିହ ସମ୍ପନ୍ନ ସହରରେ ଗଣେଷ ପୂଜା ମେଳଣ ଓ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ତ୍ୱାବଧାନରେ ସହରରେ ପୁଜାପାଉଥିବା ୨୫ରୁ ଊର୍ଦ୍ଧ୍ୱ ମେଢର ଭସାଣି ଉତ୍ସବ ମିନି ଷ୍ଟାଡିୟମରେ ମେଳଣ ହୋଇଥିଲା । ସହରର ହିଞ୍ଜିଳି, ତରାତାରିଣି ରୋଡ, ଥାନାତୋଟା ସାହି, ଆଙ୍କରଡା ରାଜାତୋଟା ସାହି, ବଇଁଚ ବଣିଆ ଛକ, ଆଙ୍କରଡା ନୂଆସାହି, ଶ୍ରୀରାମ ନଗର, କେଉଟ ସାହି, ରେଗିଡି ସାହି, ଲକ୍ଷ୍ମୀବଜାର ହରିଜନସାହି, ପାଟଣା ସାହି, ରଜାତୋଟା ସାହି, ଲକ୍ଷ୍ମୀନୃସିଂହ ମାର୍ଗ ସମେତ ଅନ୍ୟାନ୍ୟ ସାହି ବସ୍ତିରେ ପୂଜାପାଉଥିବା ମେଢ ଗୁଡିକ ପ୍ରଥମେ ନିଜ ନିଜ ସାହିରେ ପରିକ୍ରମା କରିବା ପରେ ବୃନ୍ଦାବନ ମିନିଷ୍ଟାଡିୟମରେ ପହଞ୍ଚି ମେଳଣରେ ଭାଗ ନେଇଥିଲେ । ପରେ ସମସ୍ତ ମେଢ ଶୋଭାଯାତ୍ରାରେ ବାହାରିଥିଲା । ବିଭିନ୍ନ ପ୍ରକାର ନୃତ୍ୟ ଗୀତ, ସାଂସ୍କୃତିକ କାର୍ୟ୍ୟକ୍ରମ ସହିତ ସଂଙ୍ଗୀତର ତାଳେ ତାଳେ ସମସ୍ତ ଗଣେଷ ପୁଜା କମିଟିର ସଦସ୍ୟ ଝୁମି ଉଠିଥିଲେ । ସ୍ଥାନୀୟ ସହରର ଘୋଡାହାଡ ନଦୀରେ ସାମୁହିକ ମେଢ ବିସର୍ଜନ କାର୍ୟ୍ୟକ୍ରମ ହୋଇଥିଲା । ସାମୁହିକ ବିସର୍ଜନ ଅନୁଷ୍ଠିତ ହେଉଥିବା ଯୋଗୁଁ ପ୍ରବଳ ଭିଡ ହୋଇଥିବା ବେଳେ, ଷ୍ଟାଡିୟମରୁ ଘୋଡାହଡ ନଦୀ ପଠା ପର୍ୟ୍ୟନ୍ତ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱରେ ମହିଳା, ପିଲାଛୁଆଙ୍କ ଠାରୁ ଆବାଳ ବୃଦ୍ଧ ବନିତା ଉପଭୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ସକାଶେ ପୁଲିସ ଫୋର୍ସ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଚଳିତବର୍ଷ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଗଣେଶ ମେଢ ବିସର୍ଜନ ସକାଶେ ଅସ୍ଥାୟୀ ପୁଷ୍କରିଣୀ ନିର୍ମାଣ କରାଯାଇନଥିବା ଯୋଗୁଁ ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ସାହି ବସ୍ତିର ପୂଜା ମଣ୍ଡପରେ ପୂଜା ପାଉଥିବା ଗଣେଷ ପ୍ରତିମୂର୍ତ୍ତି ଗୁଡିକ ଘୋଡାହାଡ ନଦୀରେ ବିସର୍ଜନ କରାଯାଇଥିବାରୁ ନଦୀଜଳ ପ୍ରଦୁ୍ୟଷଣ ହୋଇ ଉଠିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି  ।