ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବୁଗୁଡା : ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ସମ୍ମିଳନୀରେ କକ୍ଷରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କଲେଜ ଅଧ୍ୟକ୍ଷ ଡ. ପୁରୁଷୋତ୍ତମ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ଅଧ୍ୟାପକ ଡ.ପ୍ରଦୀପ କୁମାର ଦାଶ, ସୁଶାନ୍ତ କୁମାର ସାହୁ, ଆତ୍ମ ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କଲେଜର ନୀତିନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ନବାଗତ ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିବା ବେଳେ ସେମାନଙ୍କୁ ଉପହାର ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥି ସହ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭାଗୀୟ ଅନୁଶାସନ ସମ୍ପର୍କେ ଅବଗତ କରାଇଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଜୟରାମ ବିଷୋୟୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଅନୀତା ଦେବୀ ପରିଚାଳନା କରିଥିବା ବେଳେ ଡେମୋନଷ୍ଟେଟର୍ ସୁଶାନ୍ତ ଦାଶ ଏଥିରେ ସହଯୋଗ କରିଥିଲେ ।