ଗଣେଶ ପୂଜାରେ ସ୍କୁଲରେ ତାଲା, ନିରାଶରେ ଫେରିଲେ ବିଦ୍ୟାର୍ଥୀ
ଛତ୍ରପୁର : ଶିକ୍ଷକଶିକ୍ଷୟତ୍ରୀ ଓ ପରିଚାଳନା କମିଟି ବିବାଦ ମଧ୍ୟରେ ବଳି ପଡିଲେ ନୀରିହ ଛାତ୍ରଛାତ୍ରୀ । ସ୍କୁଲରେ ତାଲା ପଡିବାରୁ ହୋଇପାରିଲା ନାହିଁ ଗଣେଷ ପୂଜା । ନିରାଶରେ ଫେରିଲେ ଛାତ୍ରଛାତ୍ରୀ । ଏହିଭଳି ଘଟଣା ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ଅଧିନ ନୋଳିଆ ନୂଆଗାଁ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଆଜି ସକାଳୁ ପିଲାମାନେ ନୂଆ ପୋଷାକ ପିନ୍ଧି ଖୁସିରେ ହାତରେ ଭୋଗ ଧରି ସ୍କୁଲକୁ ଯାଇଥିଲେ । କିନ୍ତୁ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ ପରିଚାଳନା କମିଟି । ଯାହାଫଳରେ ନିରାଶରେ ଫେରିଥିଲେ ପିଲାମାନେ । ଅନ୍ୟପକ୍ଷରେ ଶିକ୍ଷକଶିକ୍ଷୟତ୍ରୀ ମଧ୍ୟ ସ୍କୁଲ ଫାଟକରେ କିଛି ସମୟ ଛିଡା ହୋଇ ରହିଥିବାବେଳେ ଜଣେ ଶିକ୍ଷୟିତ୍ରୀ ଅଚେତ ହୋଇ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଏକ ଅଟୋ ମାଧ୍ୟମରେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନାଥାଉକି, କିଛିଦିନ ହେବ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ପରିଚାଳନା କମିଟି ମଧ୍ୟରେ ବାଦ ବିବାଦ ଲାଗି ରହିଛି । କମିଟିର କୈାଣସି କଥାକୁ ଶିକ୍ଷକମାନେ ଶୁଣୁନଥିଲେ, ପିଲାଙ୍କ ବିଷୟରେ କୈାଣସି ଅଭିଭାବକ ପଚାରିବାକୁ ଆସିଲେ ସେମାନଙ୍କ ଖରାପ ବ୍ୟହହାର କରୁଥିବା ଅଭିଯୋଗ କରିଥିଲେ । ଏପରିକି ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟିତ୍ରୀଙ୍କ କଥାକୁ ମଧ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ଶୁଣୁନଥିବା ଗ୍ରାମବାସୀମାନେ କହିଥିଲେ। ଶେଷରେ ଦିନକୁ ଦିନ ଏହି ବିବାଦ ବଢିବାରେ ଲାଗିଥିଲା । ଆଜି ସକାଳୁ ପରିଚାଳନା କିମିଟ ବୃଦ୍ଧ ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ । ଏହି ସ୍କୁଲରେ ବାଲବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ପ୍ରାୟ ୪ଶହ ଛାତ୍ର/ଛାତ୍ରୀ ପାଠ ପଢୁଛନ୍ତି । ସ୍କୁଲର କୈାଣସି ଘଟଣା ନେଇ ପ୍ରଧାନଶିକ୍ଷୟିତ୍ରୀ ଜଣକ ବ୍ଲକ ଶିକ୍ଷାଧିକାରୀକୁ ଅବଗତ କରାଉନଥିବା କହିଥିଲେ ବିଇଓ ସୁଜିତ କୁମାର ପାଢୀ । ତେବେ ଏହି ଘଟଣାକୁ ନେଇ ବହୁବାର ପ୍ରଧାନ ଶିକ୍ଷୟିତ୍ରୀ ଫୋନ କରିଥିଲେ ବି ସେ ଫୋନ ଉଠାଇନଥିଲେ ।