ଭାରତ ଓ ନେପାଳ ମଧ୍ୟରେ ସଚିବସ୍ତରୀୟ ଆଲୋଚନା

 ଭୁବନେଶ୍ୱର : ଭାରତ ଏବଂ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା  ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ ନେପାଳ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ନେପାଳ ସରକାରଙ୍କ ସ୍ୱରାଷ୍ଟ୍ର ସଚିବ ଗୋକର୍ଣ୍ଣ ମଣି ଦୁୱାଦୀ । ଆଲୋଚନା ସମୟରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗ ତଥା ସୀମା ପରିଚାଳନାର ସମ୍ପୂର୍ଣ୍ଣ ପରିସରକୁ ସମୀକ୍ଷା କରିଥିଲେ ଏବଂ ଏହାକୁ ଆହୁରି ସୁଦୃଢ଼ କରିବା ଲାଗି ସହମତ ହୋଇଥିଲେ । ସୀମା ସ୍ତମ୍ଭଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ, ସୀମାପାର ଅପରାଧିକ କାର୍ଯ୍ୟକଳାପ, ସୀମା ଜିଲ୍ଲା ସମନ୍ୱୟ କମିଟିର କାର୍ଯ୍ୟକାରିତା, ସୀମା ଭିତ୍ତିଭୂମିକୁ ବିଶେଷ କରି ଆଇସିପି., ସଡ଼କ ଏବଂ ରେଳ ନେଟୱାର୍କକୁ ସୁଦୃଢ଼ କରିବା, ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ଏବଂ ଦକ୍ଷତା ନିର୍ମାଣ ଓ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନାରେ ସହଯୋଗକୁ ସୁଦୃଢ଼ କରିବାର ଉପାୟ ଆଦି ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ବିଚାରବିମର୍ଶ ହୋଇଥିଲା ।