"ପୂର୍ବାଞ୍ଚଳୀୟ ଭାଷା ସାହିତ୍ୟ ଖୁବ୍ ପ୍ରଭାବଶାଳୀ'
ଭୁବନେଶ୍ୱର : ଓଡିଆ, ବଙ୍ଗଳା, ଅହମିଆ, ସାନ୍ତାଳୀ, ବୋଡୋ, ମଣିପୁରୀ, ନେପାଳୀ, ମୈଥିଳି ଆଦି ପୂର୍ବାଞ୍ଚଳୀୟ ଭାଷାରେ ସୃଷ୍ଟି ହୋଇଛି ଅଗଣିତ କାଳଜୟୀ ସାରସ୍ୱତ କୃତି । ଗଦ୍ୟ, ପଦ୍ୟ, ନାଟକ ତଥା ସମାଲୋଚନା କ୍ଷେତ୍ରରେ ଏସବୁ ଭାଷାର ସାମୂହିକ ଅବଦାନ ଭାରତୀୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି । ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ । ଏଭଳି ମତ ପ୍ରକାଶ କରିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଦ୍ୱିଦିବସୀୟ ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀର ବକ୍ତାମାନେ । ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଆୟୋଜିତ ଏହି ଲେଖକ ସମ୍ମିଳନୀର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ ତଥା ସୁପରିଚିତ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ । ଏହି ଅଧିବେଶନରେ ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟରେ ସାଂପ୍ରତିକ ଧାରା ଶୀର୍ଷକରେ ଆଲୋଚନା କରିଥିଲେ ଗୁଆହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟକାମ ବରଥାକୁର (ଅହମିଆ), ଆଇଏଲଏସଆର କୋଲକାତାର ନିଦେ୍ର୍ଦଶକ ଡକ୍ଟର ସ୍ୱାତୀ ଗୁହା (ବଙ୍ଗଳା) ଏବଂ ବିଶିଷ୍ଟ ଗବେଷକ ଡକ୍ଟର ଅସିତ ମହାନ୍ତି (ଓଡିଆ) । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ ଓଡିଆ ସମେତ ଅନ୍ୟାନ୍ୟ ଭାଷାର ସାଂପ୍ରତିକ ନାଟକର ଧାରା ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ଅଧିବେଶନରେ ସାହିତ୍ୟ ଅକାଦେମିର ସାନ୍ତାଳୀ ପରାମର୍ଶ ମଣ୍ଡଳୀର ଆବାହକ ଚୈତନ୍ୟ ପ୍ରସାଦ ମାଝୀଙ୍କ ସଭାପତିତ୍ୱରେ କ୍ଷୁଦ୍ରଗଳ୍ପ ପାଠ କରିଥିଲେ ସୋରଖାଇବାମ ଦେବେନ୍ଦ୍ର ମୈତେଇ (ମଣିପୁରୀ), ଚିରଶ୍ରୀ ଇନ୍ଦ୍ରସିଂ (ଓଡିଆ) ଏବଂ କାଳିଚରଣ ହେମ୍ବ୍ରମ (ସାନ୍ତାଳୀ) । ଶ୍ରୀ ମାଝୀ କ୍ଷୁଦ୍ରଗଳ୍ପର ସୃଷ୍ଟି ଏବଂ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।