ଭାରତ-ୟୁରୋପ ମଧ୍ୟରେ ସମ୍ପର୍କ ହେବ ଦୃଢ଼

ନୂଆଦିଲ୍ଲୀ/ଭୁବନେଶ୍ୱର  : ଶୁକ୍ରବାର ୟୁରୋପୀୟ ଆୟୋଗର ସାମାଜିକ ଅଧିକାର, ଦକ୍ଷତା, ଗୁଣାତ୍ମକ ଚାକିରି ଏବଂ ପ୍ରସ୍ତୁତି ବିଭାଗର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରୋକ୍ସାନା ମିଞ୍ଜାତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ୍ ଆଲୋଚନା ଅବସରରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଶିକ୍ଷାଗତ, ଗବେଷଣା ଏବଂ ଦକ୍ଷତା ବିକାଶ ସମ୍ପର୍କକୁ ଅଧିକ ନିବିଡ କରିବା ସହିତ ସମ୍ଭାବ୍ୟ ଭାଗିଦାରୀ ଉପରେ ଫଳପ୍ରଦ ଆଲୋଚନା ହୋଇଛି । ସ୍ଥାୟୀତ୍ୱ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଭଳି ପାରସ୍ପରିକ ଲାଭଦାୟକ କ୍ଷେତ୍ରରେ ଶିକ୍ଷା ଓ ଦକ୍ଷତା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଭାଗିଦାରୀ ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଅନୁରୂପ ଭାବରେ ଅଧ୍ୟାପକ ବା ଶିକ୍ଷକ ବିନିମୟ, ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଜଏଣ୍ଟ/ଡୁଆଲ ଡିଗ୍ରୀ ଏବଂ ଟୁଇନିଂ ପ୍ରୋଗ୍ରାମ ସହ ଭାରତରେ ଥିବା ପ୍ରମୁଖ ୟୁରୋପୀୟ ସଂଘ ବିଶ୍ୱବିଦ୍ୟାଳୟଗୁଡିକର ଅଫସୋର କ୍ୟାମ୍ପସର ସମ୍ଭାବନା ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା । ଶିକ୍ଷଣ ଏବଂ ଦକ୍ଷତା ବ୍ୟବଧାନକୁ ଦୂର କରିବା ସହିତ ଲର୍ଣ୍ଣିଂ ଏବଂ ସ୍କିଲିଂ ଇକୋସିଷ୍ଟମରେ ଉନ୍ନତି ଆଣିବା ପାଇଁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାସହ ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀକୁ ଆହୁରି ଶକ୍ତିଶାଳୀ କରିବା ଏବଂ ନୂତନ ମାନଦଣ୍ଡ ସୃଷ୍ଟି କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ । ଏହି ଆଲୋଚନା କାଳରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।