ଭିଜିଲାନ୍ସ ପଞ୍ଝାରେ ଜଟଣୀ ପୌର ଅଧିକାରୀ ନିର୍ବାହୀ ଅଧିକାରୀଙ୍କ : ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା


ଜଟଣୀ :  ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ଜଟଣୀ ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ପରିସରଭୁକ୍ତ ହୋଇଥିବା ଜଣାଯାଇଛି  । ବିଭିନ୍ନ ଦିଗରୁ ମିଳିଥିବା ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସଙ୍ଗରେ ବ୍ରହ୍ମପୁରସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱରରେ ରହୁଥିବା ବାସଭବନ ଓ ଜଟଣୀ ପୌର କାର୍ଯ୍ୟାଳୟରେ ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ର ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ଓ ନଥିପତ୍ରର ଯାଞ୍ଚ ପ୍ରକ୍ରିୟା ଦିନ ତିନି ଘଟିକା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚାଲୁ ରହିଥିଲା  । ଭିଜିଲାନ୍ସ ବିଭାଗ ଡିଏସପି ସ୍ମିତା କର୍କଟି ଓ କନକଲତା ପ୍ରଧାନଙ୍କ ଉପସ୍ଥିତିରେ ଭିଜିଲାନ୍ସ ବିଭାଗୀୟ ଅଧିକାରୀମାନେ ପୌର କାର୍ଯ୍ୟାଳୟରେ ସମସ୍ତ ନଥିପତ୍ର ତନ୍ନତନ୍ନ କରି ଯାଞ୍ଚ କରିଥିଲେ  । ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରର ଯାଗମରା ଓ ଖାରବେଳ ନଗରରେ ଦୁଇଟି ଦାମି ପ୍ଲାଟ୍, ତତ୍ସହିତ ଡେଲଟା ଛକ ନିକଟରେ ଏକ ନିର୍ମଣାଧୀନ ପ୍ଲାଟ୍ ପାଇଁ ଅଗ୍ରୀମ ୫୬.୪୦ ଲକ୍ଷ ଟଙ୍କା, ବ୍ରହ୍ମପୁରର ପଣାକାଳାପଲ୍ଲୀ ମୌଜାରେ ଦୁଇଟି ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକା ଓ ଜଟଣୀ, ବ୍ରହ୍ମପୁର, ଗଞ୍ଜାମ ଓ ଭୁବନେଶ୍ୱର ଏରିଆରେ ଯଥାକ୍ରମେ ୧୧ଟି ପ୍ଳଟ, ୧୫୦ ଗ୍ରାମ ଓଜନର ସୁନା ଅଳଙ୍କାର, ନଗଦ ୧୭ ଲକ୍ଷ ଟଙ୍କା ସହିତ ମୁ୍ୟଚୁଆଲ ଫଣ୍ଡ ନଥିପତ୍ର ଓ କୋଡିଏଟି ବ୍ୟାଙ୍କ ପାସ ବହି ଓ ଏକ ଚାରିଚକିଆ ଯାନ ସହିତ ତିନୋଟି ମୋଟରସାଇକଲ୍ ଜବତ କରାଯାଇଥିଲା  । ତେବେ ଏହି ଚଢାଉ ହେବା ପରେ ପୌର କାର୍ଯ୍ୟାଳୟରେ ବିରିମାଡ ଦେଖି କୋଳଥ ଚୋପା ହେଲାଭଳି ପରିସ୍ଥିତି ସୃଷ୍ଟି ହୋଇଛି  । ଅନ୍ୟପକ୍ଷରେ ଏହି ଘଟଣା ଘଟିବା ପରେ ପୌରପରିଷଦର କିଛି ନିର୍ଦ୍ଦିଷ୍ଟ ନିର୍ବାଚିତ ପ୍ରତିନିଧି ତଥା ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଭିଜିଲାନ୍ସ ତଦନ୍ତ ପରିସରକୁ ଅଣାଗଲେ ଅନେକ ଦୁର୍ନୀତି ପର୍ଦ୍ଧାଫାସ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି  ।