ଭୋଜି ଆଳରେ ବିଜେଡ଼ି ନେତାଙ୍କ ମେଳି : ଯଦି ବନ୍ଧୁମିଳନ, କେବଳ ହାରୁ ନେତା କାହିଁକି ?
ଭୁବନେଶ୍ୱର : ଆଉ ସପ୍ତାହକ ପରେ ବିଜେଡ଼ିର ପ୍ରତିଷ୍ଠା ଦିବସ । ହେଲେ ବିଜେଡ଼ିର ଦୁଃଖି ନେତାମାନେ ଦୁଃଖରେ ୨୦୨୫କୁ ବିଦାୟ ଜଣାଇବା ପାଇଁ ଭୋଜିଭାତର ଆସର କରିଥିଲେ । ସେମାନଙ୍କ ମନରେ ଯାହାଥାଉନା କାହିଁକି, ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେବା ସ୍ୱାଭାବିକ । ହେଲେ ସବୁଠାରୁ ବଡ଼ କଥାଟି ହେଉଛି ଭୋଜିଭାତର ଆସର ଓ ଆଲୋଚନା ସମ୍ପର୍କରେ କେହି ପଦୁଟିଏ କହିଲେନି । ପଚାରିବାରୁ କିଏ ବାଅାଁରେଇଲେ ତ କିଏ ଫିଡ଼ିକିଲେ । ହେଲେ ବାସ୍ତବ କଥାଟି ହେଉଛି, ଚବିଶ ନିର୍ବାଚନ ହାରିବା ପରେ ବିଜେଡ଼ିରେ ସ୍ଥାଣୁତା, ଆଲୁରୁବାଲୁରୁ ସଂଗଠନ ଦଳର ଅନେକ ନେତାଙ୍କ ମନରେ ଶଙ୍କା ସୃଷ୍ଟି କରିଥିବାବେଳେ ଏହା ଏକ ଚାପ ରଣନୀତି ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି ।
ଝୁମୁକା ଠାରେ ଏକ ଫାର୍ମ ହାଉସରେ ଆଜି ବିଜେଡ଼ି ନେତାମାନେ ମେଳି ହୋଇଥିଲେ । ବିଶେଷକରି ଗତ ନିର୍ବାଚନରେ ହାରିଥିବା ନେତାମାନେ ଏକାଠି ହୋଇଥିଲେ । ଏହି ବନ୍ଧୁମିଳନରେ ଏକାଠି ହୋଇଥିଲେ ସୁକାନ୍ତ ନାୟକ, ରୁଦ୍ର ମହାରଥି, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦେବେଶ ଆଚାର୍ଯ୍ୟ, ପ୍ରମୋଦ ମଲ୍ଳିକ, ଲତିକା ପ୍ରଧାନ, ବିଷ୍ଣୁବ୍ରତ ରାଉତରାୟ, ସମ୍ବିତ ରାଉତରାୟ, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନୀ, ମହୀଧର ରଣା, ପ୍ରୀତିରଞ୍ଜନ ଘଡେ଼ଇ, ଚନ୍ଦ୍ରସାରଥି ବେହେରା, ସତ୍ୟ ନାରାୟଣ ପ୍ରଧାନ, ପ୍ରଣବ ବଳବନ୍ତରାୟ, ମଞ୍ଜୁଳା ସ୍ୱାଇଁ, ରଘୁନାଥ ସାହୁ, ଉମାକାନ୍ତ ସାମନ୍ତରାୟ, କିଶୋର ତରାଇ, ସ୍ୱରୂପ ଦାସ, ମହେଶ ସାହୁ, ରାଜେନ୍ଦ୍ର ଦାସ ପ୍ରମୁଖ । ଗ୍ରୁପ ଫଟୋରେ ୪୧ ନେତା ଥିବାବେଳେ ୫୫ ନେତା ଆସିଥିଲେ ବୋଲି କେତେକ ପୂର୍ବତନ ବିଧାୟକ ସୂଚନା ଦେଇଛନ୍ତି ।
ଏବେ ଆସିବା କାହିଁକି ଆୟୋଜନ ହୋଇଥିଲା ଭୋଜିଭାତ ? ଅବଶ୍ୟ ଭୋଜିଭାତ ଆୟୋଜନ କରିବା ଏକ ବଡ଼ କଥା ନୁହେଁ, ପୂର୍ବତନ ବିଧାୟକମାନେ କ’ଣ ଏକାଠି ହୋଇ ଭୋଜିଭାତ କରିପାରିବେନି କି ? କିନ୍ତୁ ଯେଉଁ ସମୟରେ ଏଭଳି ଆୟୋଜନ ହୋଇଛି ତାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । କାହିଁକିନା ଏହି ବନ୍ଧୁମିଳନରେ କେବଳ ହାରୁ ନେତାମାନେ ହିଁ ଉପସ୍ଥିତ ଥିଲେ । ଆଜିକା ଦିନରେ ଦଳର ଟାଣୁଆ ମାମଲତକାରଙ୍କୁ ଦେଖିବାକୁ ମିଳିନଥିଲା । ସେମାନଙ୍କୁ ଡକା ଯାଇନଥିବାରୁ ସେମାନେ ଯାଇନଥିବା ସୂଚନା ମିଳିଛି । ଦେବୀ ମିଶ୍ର ବି ହାରିଥିଲେ, ସେ ଗଲେନି ନା ଡକାଗଲାନି । ବିକ୍ରମ ଆରୁଖ ଓ ବବି ଦାସ ବି ହାରିଥିଲେ, ସେମାନେ ବି ନାହାନ୍ତି । ସଂଜୟ ଦାସବର୍ମା ବି ଫଟୋରେ ଦେଖିବାକୁ ମିଳୁନାହାନ୍ତି । ଏମିତି ଦେଖିଲେ ଆଜିକା ଦିନରେ ପାୱାରଫୁଲ୍ ଗ୍ରୁପରେ ଥିବା ହାରୁ ନେତାଙ୍କୁ ସେଠାରେ ଦେଖିବାକୁ ମିଳିନାହିଁ ।
ଏନେଇ ପ୍ରଭୁ ଜାନି ଓ ମହୀଧର ରଣାଙ୍କ ଭଳି ନେତାମାନେ କହିଛନ୍ତିଯେ, ଯୁବ ନେତୃତ୍ୱଙ୍କୁ ନେଇ ଏକ ନୂଆ ସମୀକରଣ ହେବ । ରାଜେନ୍ଦ୍ର ସାହୁ କହିଥିଲେଯେ, ଆପଣମାନେ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣମାନେ ନେଗେଟିଭ୍ ଚର୍ଚ୍ଚା କରନ୍ତୁ ନାହିଁ । ଆମେ ଗେଟ ଟୁଗେଦର କରିଛୁ । ଖିଆପିଆ କରି ଯାଉଛୁ । ଆମର କ’ଣ କିଛି ଅଧିକାର ନାହିଁ । ସାମ୍ବାଦିକ ଭାଇମାନେ ଭୋଜି କଲେ ଆମେ କ’ଣ ପଚାରିବୁ କାଇଁ ଭୋଜି କରୁଛନ୍ତି । ଆପଣମାନେ ଭୁଲ୍ ଅର୍ଥରେ କାହିଁକି ନେଉଛନ୍ତି । ଷୋହଳ ସତରମାସ ଭିତରେ ଆଠ ଦଶ ଥର ଭୋଜିଭାତ କରିଛୁ । ଆପଣ ସବୁ ବାହାର କରିଛନ୍ତି । ସେଥିରେ ଆପତ୍ତି ନାହିଁ । ଆମେ ଆପଣଙ୍କୁ ଅସମ୍ମାନିତ କରୁନାହୁଁ । ନୂଆବର୍ଷ ପୂର୍ବରୁ ଏକାଠି ହୋଇ ଭୋଜି ଭାତ କରିବା ଏକ ସାଧାରଣ କଥା ବୋଲି ରାଜେନ୍ଦ୍ର କହିଛନ୍ତି । ତେବେ ସେ ଫିଡ଼ିକିବାର କାରଣ କ’ଣ ତାହା କିନ୍ତୁ ଜାଣିହେଲାନି । ସମ୍ବିତ ରାଉତରାୟ କହିଲେଯେ, କୋଡ଼ିଏ ପଚିଶ ସାହୁକାର ଏକାଠି ହେଲେ ବେପାର କଥା ଆଲୋଚନା କରିବେ । ଆମେ ଏକାଠି ହୋଇ ଠିକ୍ କଲୁ ଏକାଠି ବସିବା । ଓଡ଼ିଶା ସାରା ଡକା ଯାଇଥିଲା । ୫୫ରୁ ଉଦ୍ଧ୍ୱର୍ ନେତା ଆସିଥିଲୁ । ଆମ ମନରେ ଦୁଃଖ ଅଛି । ହେଲେ ଚିତ୍ତ ବିନୋଦନ ପାଇଁ ଆମେ ଏମିତି ଆୟୋଜନ କରିଥିଲୁ । ବହୁଦିନ ପରେ ଆମେ ସବୁ ଏକାଠି ହେଲୁ । ସମ୍ବିତ କିଛି ବାଅାଁରେଇଲେ । ଯଦି ସାହୁକାର ବେପାର କଥା ଆଲୋଚନା କରିଛନ୍ତି ଏମାନେ ନିଶ୍ଚିତ ଭାବେ ରାଜନୀତି କଥା ଆଲୋଚନା କରିଥିବେ । ତେବେ ଦଳ ଉପରେ ଚାପ ପକାଇବାକୁ ଏହା ଏକ ରଣନୀତି ନଥିଲା ତ ? ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ।
Samir Kumar Rout