ଚନ୍ଦକାରେ ଘାଇଲା କରୁଥିବା ଗୁଳିବିଦ୍ଧ ଦନ୍ତାକୁ ଟ୍ରାଙ୍କୁଲାଇଜ : ଚିକିତ୍ସା ନିମନ୍ତେ ଓୟୁଏଟି ନେଲା ବନ ବିଭାଗ
ଭୁବନେଶ୍ୱର : ଚନ୍ଦକା ଜଙ୍ଗଲରେ ଘାଇଲା ହୋଇ ବୁଲୁଛି ଗୁଳିବିଦ୍ଧ ଦନ୍ତା ହାତୀ । କଷ୍ଟ ସମ୍ଭାଳି ନ ପାରି ଗର୍ଜନ କରୁଛି । ତା’ ଗର୍ଜନରେ ପୂରା ଚନ୍ଦକା ଜଙ୍ଗଲ ଥରହର ହୋଇ ପଡୁଛି । ଗୋଡରେ ଅସମ୍ଭାଳ କଷ୍ଟ ହେତୁ ହାତୀଟି ହିଂସ୍ର ହୋଇପଡିଛି । ଏପିରିକି ହାତୀକୁ ରେସ୍କ୍ୟୁ ପାଇଁ ଯାଇଥିବା ଟିମ୍କୁ ସେ ଆକ୍ରମଣ କରିବାକୁ ଗୋଡାଇଛି । ଫଳରେ ଚନ୍ଦକା ରେଞ୍ଜ ଫରେଷ୍ଟର ଦୀପକ ନାୟକଙ୍କ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ବନ କର୍ମଚାରୀ ଖଣ୍ଡିଆ ଖାବରା ହୋଇଛନ୍ତି । ଦନ୍ତାକୁ ଠାବ କରାଯାଇଥିଲେ ମଧ୍ୟ ତା’ ପାଖ କେହି ବି ମାଡିପାରୁନାହାନ୍ତି । ହେଲେ ଶେଷରେ ଶୁକ୍ରବାର ଦିନ ହାତୀକୁ କରାଯାଇଛି ଟ୍ରାଙ୍କୁଲାଇଜ୍ । ପରେ ତାର ଚିକିତ୍ସା ପାଇଁ ଓୟୁଏଟିକୁ ନିଆଯାଇଛି । ସେଠାରେ ୨୦ ଜଣିଆ ଡାକ୍ତରୀ ଟିମ ଦ୍ୱାରା ଚାଲିଛି ଚିକିତ୍ସା । ସବୁଠାରୁ ବଡକଥା ହେଉଛି, ହାତୀକୁ ଟ୍ରାଙ୍କୁଲାଇଜ୍ କରି ତୁରନ୍ତ ଚିକିତ୍ସା କରା ନଗଲେ ତା’ ଜୀବନ ପ୍ରତି ବିପଦ ରହିଛି ।
କିନ୍ତୁ ବନବିଭାଗ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିବାରେ କାହିଁକି ବିଳମ୍ବ କରୁଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଆଠଗଡ ଅଞ୍ଚଳରୁ ବାମ ପଛ ଗୋଡରେ କ୍ଷତ ଥାଇ ଆସିଥିବା ଦନ୍ତା ହାତୀଟି ଦୁଇଦିନ ଧରି ଚନ୍ଦକା ରେଞ୍ଜ ଭାଲୁଙ୍କା ଅଞ୍ଚଳରେ ଘୂରି ବୁଲୁଛି । ଖବରପାଇ ଚନ୍ଦକା ବନବିଭାଗ ପକ୍ଷରୁ ହାତୀକୁ ଠାବ କରି ଚିକିତ୍ସା କରିବା ପାଇଁ ଦୁଇଦିନ ହେଲା ଉଦ୍ୟମ ଜାରି ରହିଛି । ଏସିଏଫ୍ ସଂଗ୍ରାମ ମହାନ୍ତିଙ୍କ ସମେତ ଚନ୍ଦକା ରେଞ୍ଜ ଦାୟିତ୍ୱରେ ଥିବା ଉତ୍ତମ କୁମାର ସାହୁ ଏବଂ ପ୍ରାୟ ୨୦ କର୍ମଚାରୀ ଦନ୍ତାକୁ ଠାବ କରିବା ପାଇଁ ଯାଇଥିଲେ । ହେଲେ ହାତୀଟି କଣ୍ଟା ବାଉଁଶ ବଣ ଭିତରେ ଥିବାରୁ ତାକୁ ଠାବ କରିବା ସମ୍ଭବ ହୋଇନଥିଲା । ତେବେ ରେସ୍କ୍ୟୁ ଟିମ୍ ତା’ ପାଖକୁ ଯିବାରୁ ହିଂସ୍ର ହୋଇ ପଡିଥିବା ଦନ୍ତା ସେମାନଙ୍କୁ ମାରିବାକୁ ଚିହିଁକି ଆସିଥିଲା । ଫଳରେ ଯିଏ ଜୁଆଡେ ପାରିଲେ ଦୌଡିଥିଲେ ଏଥିରେ ଫରେଷ୍ଟର ଦୀପକ ନାୟକ ଏବଂ ଅନ୍ୟଜଣେ ବନ କର୍ମଚାରୀ ଗୁରୁତର ଆହାତ ହୋଇଥିଲେ । ଏନେଇ ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟଙ୍କୁ ପଚାରିବାରେ ସେ କହିଛନ୍ତି, ହାତୀକୁ ପ୍ରଥମେ ଠାବ କରିବାକୁ ଟିମ୍ ପଠା ଯାଇଥିଲା । ହାତୀଟି ଭାଲୁଙ୍କା ନିକଟରେ ୫ ଟିକିଆ ପଲଙ୍କ ସହିତ କଣ୍ଟା ବାଉଁଶ ଜଙ୍ଗଲ ଭିତରେ ରହିଛି । ଆଜି ତାକୁ ଠାବ କରାଯାଇଛି । ନନ୍ଦନକାନନ ଏବଂ ଓୟୁଏଟି ଡାକ୍ତରୀ ଟିମ୍ଙ୍କ ସହ ଯୋଗାଯୋଗ କରାଯାଇଛି । ଆସନ୍ତାକାଲି ପ୍ରଥମେ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଉଦ୍ୟମ କରାଯିବ । ଟ୍ରାଙ୍କୁଲାଇଜ୍ପରେ ତା’ ଗୋଡ କ୍ଷତର ଅନୁଧ୍ୟାନ କରାଯିବ । ଗୁଳିମାଡ ଯୋଗୁଁ କ୍ଷତ ହୋଇଛି କି ଅନ୍ୟ କୌଣସି କାରଣରୁ କ୍ଷତ ସୃଷ୍ଟି ହୋଇଛି, ତାହା ସ୍ପଷ୍ଟ ହେବା ପରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯିବ ।
Samir Kumar Rout