ଅପାରଗ କି ଯାଜପୁର ବିଜେଡ଼ି ନେତା ?
ଭୁବନେଶ୍ୱର : ଯାଜପୁର ଥିଲା ବିଜେଡ଼ିର ଗଡ଼ । ପ୍ରଣବ ପ୍ରକାଶ ଦାସ ଥିଲେ ଦଳର ସଂଗଠନ ସମ୍ପାଦକ । ପ୍ରୀତିରଞ୍ଜନ ଘଡେ଼ଇ ଥିଲେ ମନ୍ତ୍ରୀ । ପ୍ରମିଳା ମଲ୍ଲିକ ବି ମନ୍ତ୍ରୀ ଥିଲେ, ଏବେ ବିରୋଧୀ ଦଳ ମୁଖ୍ୟ ସଚେତିକା ବି ଅଛନ୍ତି । ଜିତୁ ବଳବନ୍ତରାୟ ବି ବବିଙ୍କ ବଳରେ କ୍ଷମତାଶାଳୀ ଥିଲେ । ଯୁବ ବିଜେଡ଼ି ବି ବୁଝାଶୁଝା କରୁଥିଲେ । ବବିବି ଗର୍ବରେ କୁହନ୍ତି, ଯାଜପୁରରେ ବିଜେଡ଼ି କହିଲେ ବବି, ଜିତୁ ଓ ଡାନି । ହେଲେ ଏବେ, କୁଆଡେ଼ ଗଲେ ଯାଜପୁର ବିଜେଡ଼ି ? କୁଆଡେ଼ ଗଲେ ଜିଲ୍ଲାର ଏହି ତିନି ନେତା ? ପରସ୍ପରର ଗୋଛି କଟାରେ ଲାଗିଥିବା ନେତାମାନଙ୍କ ପାଇଁ ଶଙ୍ଖ ଫାଟି ଗୁଣ୍ଡ ହୋଇଯାଇନି ତ ? ଲିକୁ ସାହୁ, ଆକାଶ ଦାସ ନାୟକ ଓ ଅମର ନାୟକଙ୍କ ପତିଆରା ଆଗରେ ଏମାନେ ଫିକା ପଡ଼ିଗଲେକି ? ବିଜେଡ଼ି ଅଳିନ୍ଦରେ ଏବେ ଏମିତି ଚର୍ଚ୍ଚା ହେଉଛି । ଯାଜପୁର ବିଜେଡ଼ି ନେତାଙ୍କ ରାଜ୍ୟସ୍ତରୀୟ ନେତା ହେବାର ଝୁଙ୍କ ଜିଲ୍ଲାରେ ଦଳକୁ ପୋଛି ଦେଇଛି କହିଲେ ଭୁଲ୍ ହେବନାହିଁ ।
ଆଜି ବିଜେଡ଼ି ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଏବଂ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ଦଳରୁ ନିଲମ୍ବନ କରିଥିଲା । ଅବଶ୍ୟ ଦଳ ନିଲମ୍ବନ କରିବା ପୂର୍ବରୁ ସେମାନେ ବି ଦଳ ଛାଡ଼ି ବିଜେପିରେ ମିଶିବାକୁ ସବୁ ଯୋଜନା କରି ସାରିଥିଲେ । ଖାଲି ସେତିକିନୁହେଁ ପୂର୍ବତନ ବିଜେଡ଼ି ସାଂସଦ ରୀତା ତରାଇବି ବିଜେପିକୁ ପଳାଇଲେ । ଜିଲ୍ଲାର ୧୬ ଜିଲ୍ଲା ପରିଷଦ ସଦସ୍ୟ ବି ପଦ୍ମପୋଖରୀରେ ବୁଡ଼ ପକାଇଲେ । ଏତଦବ୍ୟତୀତ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳା ବିଜେଡି ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ଜିଲ୍ଲା ଯୁବ ବିଜେଡି ସଭାପତି କ୍ଷୀତିଶ ନାୟକ, ସମିତିସଭ୍ୟା କ୍ଷୀରାବ୍ôଧ ତନୟା ମଲିକ ପ୍ରମୁଖ ବି ଦଳ ଛାଡ଼ିଦେଲେ । ସାଧାରଣ ସରପଞ୍ଚ କି ସମିତିସଭ୍ୟ ଦଳ ଛାଡ଼ିବାଟା କାହାକୁ ଚକିତ କରିବନି । କିନ୍ତୁ ପାୱାରରେ ଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦଳ ଛାଡ଼ିଲେ ସମସ୍ତେ ଚକିତ ହେବା ସ୍ୱାଭାବିକ । ୩୦ ଜିଲ୍ଲାରେ ଆମେ ଜିଲ୍ଲା ପରିଷଦ ଗଢ଼ିଲୁ ବୋଲି ୨୦୨୨ ପଞ୍ଚାୟତ ନିର୍ବାଚନ ପରେ ବବି ଦାସ ଛାତି ଫୁଲାଇ ବାହାସ୍ଫୋଟ ମାରୁଥିଲେ । ଏବେ ତାଙ୍କରି ଜିଲ୍ଲାରେ ମାତ୍ର ୧୮ ମାସ କ୍ଷମତାରୁ ଯିବା ପରେ ବଡ଼ ବଡ଼ ନେତ୍ରୀ ବି ଦଳ ଛାଡ଼ିଦେବାକୁ ନେତାଙ୍କ ଅପାରଗତା କୁହାଯିବନି ତ ଆଉ କ’ଣ କୁହାଯିବ ? ବ୍ଳକ ଅଧ୍ୟକ୍ଷ ତ ସ୍ଥାନୀୟ ନେତାଙ୍କ ଆଶୀର୍ବାଦରେ ହୋଇଥା’ନ୍ତି । ସାଧାରଣ ନେତାଙ୍କ ନିର୍ବାଚନମଣ୍ଡଳୀରେ ଏମିତି ଘଟଣା ଘଟିଲେ ସେମାନେ କାମଦାମ ଲୋଭରେ ଗଲେ ବୋଲି କହିହେବ । ହେଲେ ଏତେ ପ୍ରଭାବଶାଳୀ ନେତା ଥିବା ଜିଲ୍ଲାରେ ବିଜେଡ଼ିର ଏମିତି ଦୟନୀୟ ସ୍ଥିତି କାହିଁକି ? ଏଥିପାଇଁ ବବି ଦାସ, ଡାନି ଘଡେ଼ଇ, ପ୍ରମିଳା ମଲ୍ଲିକ, ଜିତୁ ବଳବନ୍ତରାୟଙ୍କୁ କାହିଁକି ଦାୟୀ କରାନଯିବ ? ନବୀନ ଏଇ ଯେଉଁ ସମୀକ୍ଷା କରୁଛନ୍ତି, ପ୍ରଥମେ ଯାଜପୁରକୁ ସଜାଡ଼ିବାକୁ ନେତାମାନଙ୍କୁ ଡାକି ତାଗିଦ୍ କରିବା ଦରକାର ବୋଲି ବିଜେଡ଼ି ନେତାମାନେ ମତପୋଷଣ କରିଛନ୍ତି । ବବି ଯେତେବେଳେ ଯାଜପୁରରେ ବିଜେଡ଼ିକୁ ରକ୍ଷା କରିପାରୁନାହାନ୍ତି, ସେ ରାଜ୍ୟ ବିଜେଡ଼ିକୁ କେମିତି ସମ୍ଭାଳିବେ ? ସେ ପ୍ରଶ୍ନ ଉଠିବା ବି ସ୍ୱାଭାବିକ ।
ଯାଜପୁର ଜିଲ୍ଲାର ୧୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି । ସେମାନେ ହେଲେ ବଡଚଣା ବ୍ଲକ ୧୮ନଂ ଜୋନ୍ର ସସ୍ମିତା ମହାନ୍ତି, ୨୦ନଂ ଜୋନ୍ର ଜୟଶ୍ରୀ ସାମଲ, ଧର୍ମଶାଳା ବ୍ଲକ ୧୧ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସୁଧାଂଶୁ ସାହୁ, ୧୩ନଂ ଜୋନ୍ର ସ୍ମୃତିରେଖା ବେହେରା, ୧୫ନଂ ଜୋନ୍ର ଚକ୍ରଧର ବେହେରା, ୩୪ନଂ ଜୋନ୍ର ମମତା ଖୁଣ୍ଟିଆ; କୋରେଇ ବ୍ଲକ ୩୫ ନଂ ଜୋନ୍ର ଶଶୀରେଖା ପୃଷ୍ଟି; ବରୀ ବ୍ଲକ ୩୧ନଂ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝୀ, ୩୬ନଂ ଜୋନ୍ର ଭାରତୀ ବିଶ୍ୱାଳ; ସୁକିନ୍ଦା ବ୍ଲକ ୮ନଂ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ସାମନ୍ତିରାଣୀ ରାଉତ, ୯ ନମ୍ବର ଜୋନ୍ର ଟିନା ହାଇବ୍ରୁ, ୩୮ନଂ ଜୋନ୍ର ସାଧୁ ଚରଣ ଡ୍ୟୁ, ୩୯ ନଂ ଜୋନ୍ର ପ୍ରତାପ ପଟ୍ଟନାୟକ; ପୁରୁଣା ବଡଚଣା ବ୍ଲକ ୧୬ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଯଚିନ୍ଦ୍ର ନାୟକ, ୧୯ନଂ ଜୋନ୍ର ଅରବିନ୍ଦ ସାମଲ ଓ ୩୩ ନଂ. ଜୋନ୍ର ଶିଶିର ମହାନ୍ତି ଦଳ ଛାଡ଼ିଛନ୍ତି ।
ସୂଚନାଯୋଗ୍ୟଯେ, ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ଯାଜପୁର ସାଂସଦ ରବିନାରାୟଣ ବେହେରା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ଅମର କୁମାର ନାୟକ, ହିମାଂଶୁ ଶେଖର ସାହୁ, ଆକାଶ ଦାସ ନାୟକ, ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ, ରାଜ୍ୟ ସମ୍ପାଦକ ସରୋଜ କୁମାର କର, ଯାଜପୁର ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ, ଯାଜପୁର ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ବରୀ ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଭଦ୍ରକ ଜିଲ୍ଲା ଉପସଭାପତି କିଶୋର ନାୟକ, ଭଦ୍ରକ ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।
Samir Kumar Rout