ମଣ୍ଡି ଖୋଲିବାର ୭ ଦିନ ବିତିଲା : ଉଠିନି କେଜିଏ ଧାନ, ଚାଷୀ ଅସନ୍ତୁଷ୍ଟ
ନବରଙ୍ଗପୁର : ରବି ଧାନ ମଣ୍ଡି ଉଦ୍ଘାଟନକୁ ୭ ଦିନ ବିତିଗଲାଣି । ଏହି ୭ ଦିନ ମଧ୍ୟରେ ନବରଙ୍ଗପୁର ମଣ୍ଡିରୁ କେଜିଏ ହେଲେ ଧାନ କିଣାଯାଇନି । ମଣ୍ଡି ଆରମ୍ଭ ଦିନଠାରୁ ଚାଷୀ ଧାନ ଆଣି ମଣ୍ଡିରେ ଜମା କରିଛନ୍ତି । କିନ୍ତୁ ଗାଡ଼ି ଗୁଡ଼ିକରେ ଜିପିଆରଏସ ଲାଗି ନଥିବାରୁ ଏପର୍ଯ୍ୟନ୍ତ ଧାନ ଉଠି ନାହିଁ । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀ ନେତା ବୃନ୍ଦା ତ୍ରିପାଠୀ କହିଛନ୍ତି ଏଥର ମଣ୍ଡିରେ ଅସାଧୁ ବେପାରୀଙ୍କ କାରବାର ଉପରେ ରୋକ ଲଗାଇବା ପାଇଁ ସରକାର ଜିପିଆର୍ଏସ୍ ବାଧ୍ୟତାମୂଳକ କରିଛନ୍ତି । ଚାଷୀ ଧାନ ବିକିବା ପରେ ଜିପିଆର୍ଏସ୍ ଟ୍ରାକିଂ ଗାଡିରେ ଧାନ ଲୋଡିଂ ହୋଇ ମିଲ୍କୁ ପଠାଯିବ । କେଉଁଠାରୁ ଲୋଡ଼ ହୋଇ ବାହାରି କେଉଁଠି ପହଞ୍ଚିଲା । ସୁବିଧାରେ ତଦାରଖ କରାଯାଇପାରିବ । କିନ୍ତୁ କଷ୍ଟମ୍ ମିଲିଂ ପାଇଁ ଚୁକ୍ତି କରିଥିବା ମିଲରଙ୍କ ଗାଡିରେ ଜିପିଆର୍ଏସ୍ ଲାଗି ନଥିବା ବେଳେ ଚାଳକଙ୍କ ମୋବାଇଲରେ ମଧ୍ୟ ଏପର୍ଯ୍ୟନ୍ତ ଆପ୍ ଡାଉନଲୋଡ ହୋଇନି । ଯଦ୍ୱାରା ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିରୁ ଧାନ ତୁରନ୍ତ ଉଠାଇବାକୁ ଶ୍ରୀ ତ୍ରିପାଠୀଙ୍କ ସହ ସତ୍ୟବାଦୀ ଷଡଙ୍ଗୀ ଓ ଟୁନା ଦାସଙ୍କ ନେତୃତ୍ୱରେ ଚାଷୀମାନେ ଦାବି କରିଛନ୍ତି । ମଣ୍ଡି ଆରମ୍ଭରୁ ମଙ୍ଗଳବାର ପର୍ଯ୍ୟନ୍ତ ଆରଏମସି ପରିଚାଳିତ ନବରଙ୍ଗପୁର ମଣ୍ଡିରେ ୭ ଚାଷୀଙ୍କ ୪୮୦ କୁଇଣ୍ଟାଲ ଧାନ ଗଦା ହୋଇଛି । ବର୍ତ୍ତମାନ ଆରଏମସି ଚାଷୀଙ୍କ ଧାନ ଜଗୁଛି ।
ଏନେଇ ନବରଙ୍ଗପୁର ଲ୍ୟାମ୍ପସ୍ ଏମଡି ସରୋଜ ନାୟକଙ୍କୁ ଯୋଗାଯୋଗ କରିବାରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମଣ୍ଡିରୁ ଚାଷୀଙ୍କ ଧାନ ଉଠିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ୫ଟି ମଣ୍ଡିରୁ କେବଳ ୨ଟି ବଡ଼ଆମ୍ବଡା ଓ ଉମରକୋଟରେ ୭ଜଣ ଚାଷୀଙ୍କ ଠାରୁ ୧୩୯ କୁଇଣ୍ଟାଲ ଧାନ ଉଠାଯାଇଛି । ଚାଷୀ ରବିଋତୁର ଧାନ ବିକ୍ରି କରି ପୁଣି ଖରିଫ ଫସଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ହେଲେ ମଣ୍ଡିରେ ଜିପିଆର ଏସ୍ ଟ୍ରାକିଂ ଅବ୍ୟବସ୍ଥା ଥିବାରୁ ମଣ୍ଡି ଛାଡି ନା ଘରକୁ ଯାଇପାରୁ ଛନ୍ତି ନା ଖରିଫ ଫସଲ ପାଇଁ ଚାଷୀ ପ୍ରସ୍ତୁତ କରିପାରୁଛନ୍ତି । ଜିଲ୍ଲାରେ ରବିଋତୁରୁ ଅସାଧୁ ବେପାରୀଙ୍କ କାରବାରକୁ ଧରିବା ପାଇଁ ସରକାର ଜିପିଆରଏସ ଟ୍ରାକିଂ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଆଗାମୀ ଖରିଫରେ ଅଧିକ କଟକଣା ହେବ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି ।