ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା
ତାଳଚେର : ଦିନକୁ ଦିନ ମଦ ନିଶାଦ୍ରବ୍ୟ ସେବନ କରି ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସହ ବର୍ତ୍ତମାନର ଶିକ୍ଷିତ ଯୁବପିଢ଼ୀ ପଥଭ୍ରଷ୍ଟ ହୋଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି । ସରକାର ମଦରୁ ପ୍ରଚୁର ରାଜସ୍ୱ ପାଉଥିବା ଏବଂ ମଦକୁ ବନ୍ଦ କରିବା ପରିବର୍ତ୍ତେ ଦିନକୁ ଦିନ କିପରି ଅଧିକ ରାଜସ୍ୱ ରାଜ୍ୟକୁ ମିଳିପାରିବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ଉଭୟ ଦେଶୀ ଓ ବିଦେଶୀ ମଦ ପାନ କରି ଯୁବକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସେମାନଙ୍କର ପରିବାର ଧ୍ୱଂସ ପାଇବା ସହ ଅଳ୍ପ ବୟସରେ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ ମଧ୍ୟ ହେଉଛି । ଏହାକୁ ପାଥେୟ କରି ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଗ୍ରାମର ଶତାଧିକ ମହିଳା ମଦବନ୍ଦ ଅଭିଯାନରେ ସାମିଲ ହୋଇଛନ୍ତି । ଏପରି ତାଳଚେର ଉପଖଣ୍ଡର ସମସ୍ତ ଗ୍ରାମ ଓ ସହରରୁ ମହିଳାମାନେ ମଦବନ୍ଦ କରିବା ନେଇ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ଏତିକି ନୁହେଁ ସ୍ଥାନୀୟ ପୁଲିସ୍ ଓ ଅବକାରୀ ବିଭାଗର ଅପାରଗତା ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ତାଳଚେର ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମରେ ଧଳାଜହର କବଜାରେ ଯୁବପିଢ଼ୀ ନିଶାଶକ୍ତ ହୋଇ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି ।