ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକୋତ୍ସବ
ବାଲେଶ୍ୱର : ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ଅତିଥିମାନେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଚାନ୍ଦିପୁର ଆଇଟିଆରର ଅତିରିକ୍ତ ନିର୍ଦ୍ଦେଶକ ବରିଷ୍ଠ ବୈଜ୍ଞାନିକ ନୀଳାଦି୍ର ରାୟ, ମୁଖ୍ୟବକ୍ତା ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ଡ. ନିରଞ୍ଜନ ପଣ୍ଡା, ସମ୍ମାନିତ ଅତିଥି ଭାବେ ସମାଜ ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ଶଶୀରଞ୍ଜନ ମଲ୍ଲିକ ଯୋଗ ଦେଇଥିଲେ । ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଂଘର ମୁଖପତ୍ର ‘ଉତ୍ତରାୟଣ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସଂଘର ଯୁଗ୍ମସଂପାଦକ ସୁଦର୍ଶନ ଦାସ ମଞ୍ଚ ପରିଚାଳନା କରିଥିବାବେଳେ ସଦସ୍ୟା ପ୍ରତିମା ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିଥିଲେ ଓ କଲ୍ୟାଣୀ ନନ୍ଦଙ୍କ ସଂଯୋଜନାରେ ତାଙ୍କର ସାଥୀମାନେ ଆବାହନୀ ସଂଗୀତ ଗାନ କରିଥିଲେ । ସାଧାରଣ ସଂପାଦକ ବୀରେନ୍ଦ୍ର କୁମାର ମହାନ୍ତ ସଂପାଦକୀୟ ବିବରଣୀ ଓ ଅର୍ଥ ସଂପାଦକ ଦାମୋଦର ନାୟକ ମୁଖପତ୍ରର ସଂପାଦକୀୟ ପାଠ କରିଥିଲେ । ସକାଳର ପ୍ରଥମ ଅଧିବେଶନ ସାଂଗଠନିକ କାର୍ଯ୍ୟକ୍ରମରେ ଜିଲ୍ଲାର ୧୫ଟି ଶାଖାର ସଭାପତି ଓ ସଂପାଦକଙ୍କ ଉପସ୍ଥିତିରେ ଆଗାମୀ ୩ବର୍ଷ ପାଇଁ ନିର୍ବାଚନ କମିଟିର ମୁଖ୍ୟ ପରିଚାଳକ ବସନ୍ତ କୁମାର ନାୟକ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ଏହି ଅବସରରେ ଗୌରଚନ୍ଦ୍ର ଭୂୟାଁଙ୍କ ଲିଖିତ ‘ଅଳସ ଆଖିରେ ଅଳପ କଥା’, ପଦ୍ମଲୋଚନ ଦତ୍ତଙ୍କ ଲିଖିତ ‘କବିତାଞ୍ଜଳି’ ଓ ‘ଝରବସନ୍ତ’ ଏବଂ ଡ. କରୁଣାକର ଦାସଙ୍କ ‘ଉତ୍ତର ରାମଚରିତମ୍’ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ବିଭିନ୍ନ ପ୍ରତିଭାଧର ବ୍ୟକ୍ତିବିଶେଷଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବା ସହିତ ଜିଲ୍ଲାର ବିଭିନ୍ନ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ, କଳା, ବାଣିଜ୍ୟର ଛାତ୍ରଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ବିଭାଗର କୃତୀ ଛାତ୍ରଛାତ୍ରୀମାନଙ୍କୁ ଏବଂ ଇଞ୍ଜିନିୟରିଂ ଓ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ରାଶି ସହ ସମ୍ମାନସୂଚକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତତ୍ସହିତ ବାଲେଶ୍ୱରର ଜଣେ ଭିନ୍ନକ୍ଷମ ଛାତ୍ରଙ୍କୁ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଧୀରେନ୍ଦ୍ର ନାରାୟଣ ଦାସ, ଇଂ. ଗୌରାଙ୍ଗ ସାହୁ, ଇଂ. ସୁରେନ୍ଦ୍ର ନାଥ ଦାସ, ସଞ୍ଜୟ ପଣ୍ଡା, ଭାଗବତ ଦଳାଇ, ରମେଶ ଚନ୍ଦ୍ର ରାଉତ, ଇଂ. ହୃଶିକେଶ ସାହୁ, ରବି ନାରାୟଣ ବେହେରା, ରବୀନ୍ଦ୍ର କୁମାର ମହାନ୍ତି, ଜ୍ୟୋତ୍ସ୍ନା ରାୟ, ରୀତା ରାୟ, ଦୀପ୍ତିଲତା ଦାସ, ସାବିତ୍ରୀ ଦାସ, ଗୀତାଞ୍ଜଳି ଶତପଥୀ ଓ ଜ୍ଞାନେନ୍ଦ୍ର ନାଥ ସାହୁ ପ୍ରମୁଖ ମଞ୍ଚ ପରିଚାଳନା ଏବଂ ଡ. ତାରାକାନ୍ତ ନନ୍ଦ, ଗୁଣାକର ଦେ, ଭବେଶ ଚନ୍ଦ୍ର ପଣ୍ଡା, କେଶବ ଚନ୍ଦ୍ର ମହାନ୍ତି, ବେଣୁଧର ପାଳ, ବନଲତା ଦାସ, ଦିଲ୍ଲୀପ ଚକ୍ରବତ୍ତୀ, ଡ. ଲକ୍ଷ୍ମଣ ବିଶ୍ୱାଳ, ରବି ନାରାୟଣ ଜେନା ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ଦେବେନ୍ଦ୍ର ନାଥ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।