ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ବେଳେ... ମୁଖ୍ୟମନ୍ତ୍ରୀଙ୍କ ଘରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ସମ୍ପ୍ରତି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ବିଜେପି ରାଜନୀତି ସରଗରମ ହୋଇଯାଇଛି । କିଏ ଯୋଡ଼ିହେବେ, କିଏ ଫେଡ଼ିହେବେ ତାହାକୁ ନେଇ ବି ବିଭିନ୍ନ ମହଲରେ ଆଲୋଚନା ଜାରିରହିଛି । ଖାଲି ସେତିକିନୁହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଫାଟ ଥିବାନେଇ ବି ରାଜନୀତିକ ଅଳିନ୍ଦରେ ରୋଚକ ଚର୍ଚ୍ଚା ହେଉଛି । ଏମିତି ଚର୍ଚ୍ଚା ଭିତରେ ଅନେକ ଦିନ ପରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତିଯେ, ଆଜି ମୋ ସରକାରୀ ବାସଭବନରେ ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି । ଏହି ଅବସରରେ ଦେଶ ତଥା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ନୂତନ ଶିକ୍ଷାନୀତି ଓ ଶିକ୍ଷାରେ ସଂସ୍କାର ଆଦି ବିଷୟ ସହ ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ଆଗାମୀ ପଦକ୍ଷେପଗୁଡ଼ିକ ବିଷୟରେ ବିସ୍ତୃତ ଆଲୋଚନା ହେଲା । ସେହିପରି ଧର୍ମେନ୍ଦ୍ର ମଧ୍ୟ ଏନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତିଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ଓଡ଼ିଶାରେ ସ୍କୁଲ, ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ସହିତ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କଲୁ । ଅବଶ୍ୟ ଧର୍ମେନ୍ଦ୍ର ଓ ମୋହନଙ୍କ ଆଲୋଚନା କାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ । ଉଭୟଙ୍କ ମଧ୍ୟରେ ଶିକ୍ଷା ବ୍ୟବସ୍ଥାର ବିକାଶ ସହ ରାଜନୀତିକ ଚର୍ଚ୍ଚା ହୋଇଥିବା କୁହାଯାଉଛି ।