‘ଓଡ଼ିଶାରୁ ଏସ୍ସି ଏସ୍ଟି ବିକାଶର ରୋଡ଼ମ୍ୟାପ୍’: ସଂସଦୀୟ କମିଟି ଲୋକତନ୍ତ୍ରର ସ୍ତମ୍ଭ : ଓମ ବିର୍ଲା

ଭୁବନେଶ୍ୱର : ଭୁବନେଶ୍ୱରରୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ ଆରମ୍ଭ ହେବ । ସଂସଦୀୟ କମିଟି ହେଉଛି ଲୋକତନ୍ତ୍ରର ଅନ୍ୟତମ ସ୍ତମ୍ଭ । ଏହି ସମ୍ମିଳନୀର ନିର୍ଯାସକୁ କାର୍ଯ୍ୟକାରୀ କରାଯିବା ପାଇଁ ରଣନୀତି କରାଯିବ । ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଏହା କହିଛନ୍ତି ।
୨୫ ବର୍ଷ ପରେ ଏବଂ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ଓଡିଶାରେ ଏହି ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ସକାଶେ ଅନେକ ଯୋଜନା କରାଯାଇଛି । ସେଗୁଡିକର ସଠିକ ପ୍ରଣୟନ ହେଲେ ଏହି ବର୍ଗ ସମାଜରେ ଅନ୍ୟମାନଙ୍କ ଭଳି ଉନ୍ନତି କରିବା ସହ ତାଳ ମିଳାଇ ଆଗକୁ ଅଗ୍ରସର ହେଇପାରିବେ । ସଂସଦୀୟ କମିଟି ବଜେଟ ସମୀକ୍ଷା କରିବା ସହ ଶତ ପ୍ରତିଶତ ଖର୍ଚ୍ଚ ପାଇଁ ଚେଷ୍ଟିତ ହେବା ଜରୁରୀ ବୋଲି କହିଥିଲେ ।
ଏହି କର୍ମଶାଳାରେ ରାଜ୍ୟ ଏବଂ କେନ୍ଦ୍ରର କମିଟିଗୁଡିକ ଦ୍ୱାରା ବଞ୍ଚିତ ବର୍ଗ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ବାବଦରେ ଅଲୋଚନା ହୋଇଛି । ସଂସଦୀୟ କମିଟି ଲୋକଙ୍କ ହିତରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସେସବୁକୁ କାର୍ଯ୍ୟକାରୀ କରାଯିବ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଏହି ସମ୍ମିଳନୀରୁ ମିଳିଥିବା ନିଷ୍କର୍ଷ କାର୍ଯ୍ୟକ୍ରମ ରୂପାୟନ ସହିତ ଅଭିଜ୍ଞତା, ସର୍ବୋକôୃଷ୍ଟ ପ୍ରୟୋଗ ଓ ଭାବ ବିନିମୟ ପାଇଁ ମଞ୍ଚ ଯୋଗାଇଦେବ ବୋଲି ସେ କହିଥିଲେ । ଏହି ଅବସରରେ ଏସସି ଏସଟି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ଡ ଫଗନ ସିଂ କୁଲସ୍ତେ କହିଥିଲେଯେ, ବଞ୍ଚିତ ବର୍ଗମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ କମିଟି ପ୍ରତିଶ୍ରୁତିବଦ୍ଧ । ସମ୍ମିଳନୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ସାମାଜିକ-ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।