ମାଲିକଙ୍କ ଆକାଉଣ୍ଟ ପାସୱାର୍ଡ ମାରି ୮ ଲକ୍ଷ ଚଳୁ ; ୩ କର୍ମଚାରୀ ଗିରଫ ; ୨ ଲକ୍ଷ ଟଙ୍କା ଜବତ

ମାଲିକଙ୍କ ଆକାଉଣ୍ଟ ପାସୱାର୍ଡ ମାରି ୮ ଲକ୍ଷ ଚଳୁ ; ୩ କର୍ମଚାରୀ ଗିରଫ ; ୨ ଲକ୍ଷ ଟଙ୍କା ଜବତ


ଭୁବନେଶ୍ୱର, ୨୪ା୬ : ଜୁଏଲାରୀ ମାଲିକଙ୍କ ସଫ୍ଟୱେୟାରର ସିକ୍ରେଟ୍ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଆକାଉଣ୍ଟରୁ ୭ ଲକ୍ଷ ୭୮ ହଜାର ଟଙ୍କା ଗାଏବ୍ । ଏନେଇ ଥାନାରେ ଅଭିଯୋଗ ପରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜୁଏଲାରୀ ସୋ-ରୁମର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ପରେ ସେମାନଙ୍କ ଠାରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ତିନି ଅଭିଯୁକ୍ତ ହେଲେ, ଓଲଟାଉନ୍ ହାଟ ସାହିର ବିକ୍ରମ କୁମାର ସାହୁ, କେନ୍ଦ୍ରପଡ଼ା ଜିଲ୍ଲାର ଅଭିସେକ ରାଉତରାୟ ଓ ଖୋର୍ଦ୍ଧା ବଡ଼ପୋଖରୀର ଦୀପକ ରଞ୍ଜନ ସେଠୀ । ଆଜି ଖାରବେଳନଗର ଥାନା ପୁଲିସ ଥାନା କେସ ନମ୍ବର ୨୬୧ ଦଫା ୪୦୯/୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଦୀନବନ୍ଧୁ ମିଶ୍ର ଜେ ଟି ମ୍ସେ ଆଣ୍ଡ ଜୁଏଲାରୀ ସୋ-ରୁମରେ ଷ୍ଟୋର ମ୍ୟାନେଜର ଭାବେ କାର୍ଯ୍ୟକରନ୍ତି । ଗତ ଏପ୍ରିଲ ମାସ ୨୭ ତାରିଖ ଦିନ ସୋ-ରୁମର ମାଲିକ ସୁରେଶ ଚୌଧୁରୀ ତାଙ୍କ ଆକାଉଣ୍ଟ ଯାଞ୍ଚ କରୁଥିବା ସମୟରେ ଆକାଉଣ୍ଟରୁ ମୋଟ ୭ ଲକ୍ଷ ୮୭ ହଜାର ଟଙ୍କା ନିଜ ସଫ୍ଟୱେୟାରର ସିକ୍ରେଟ୍ ଆଇଡି ଓ ପାସୱାର୍ଡ ବ୍ୟବହାର କରି କେହି ହେରଫେର କରିଥିବା ଜାଣିବାକୁ ପାଇଥିଲେ । ପରେ ସେ ଉକ୍ତ ସୋ-ରୁମରେ ଆକାଉଣ୍ଟ ହେଡ଼ ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ବିକ୍ରମ କୁମାର ସାହୁଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ମଧ୍ୟ ସେ ତାଙ୍କ ପ୍ରଶ୍ନର କୌଣସି ଶାନ୍ତନାମୂଳକ ଉତ୍ତର ଦେଇନଥିଲେ । ଫଳରେ ମାଲିକ ସୁରେଶ ଚୌଧୁରୀ ଅଭିଯୁକ୍ତ ବିକ୍ରମକୁ ମିଶାଇ କମ୍ପାନୀର ଆଉ ୩ ଜଣ କର୍ମଚାରୀଙ୍କ ଉପରେ ସନେ୍ଦହ କରି ସେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜୁଏଲାରୀ ୩ ଜଣ କର୍ମଚାରୀଙ୍କୁ ଥାନାକୁ ଆଣି ପଚରା ଉଚରା ଚଳାଇଥିଲା । ପରେ ଜଣାପଡ଼ିଥିଲା ଏମାନେ ହିଁ ମାଲିକଙ୍କ ଆକାଉଣ୍ଟର ପାସୱାର୍ଡ ମାରି ଟଙ୍କା ହଡ଼ପ କରିଛନ୍ତି । ପରେ ସେମାନଙ୍କ ଠାରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ବାକି ଟଙ୍କା ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି ।