ନାବାଳିକାଙ୍କୁ ଅଟୋରେ ଅପହରଣ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦ା୧୧ : ତେଜରାତି ଦୋକାନକୁ ସାମଗ୍ରୀ କିଣିବାକୁ ଆସିଥିବା ନାବାଳିକାଙ୍କୁ ଏକ ଅଟୋରେ ଅପହରଣ କରି ନେଇ ପୁଅ ସହ ବିବାହ କରିବାକୁ ବାଧ୍ୟ କରୁଥିଲେ ଅଭିଯୁକ୍ତର ପରିବାର । କିନ୍ତୁ ନାବାଳିକା ବିବାହ ପାଇଁ ରାଜି ନ ହେବା ସହ କୌଶଳ କ୍ରମେ ଅଭିଯୁକ୍ତର ପଡୋଶୀ ଘର ଲୋକଙ୍କ ମୋବାଇଲରୁ ମାଆକୁ ଫୋନ କରି ଜଣାଇଲେ ନାବାଳିକା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମୋବାଇଲ ଟ୍ରାକିଂ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳ ରେଣ୍ଟାଲ କଲୋନୀ ସହିଦ ଲକ୍ଷ୍ମଣାନନ୍ଦ ନାୟକ ବେହେରା ବସ୍ତିରେ । ଗିରଫ ଅଭିଯୁକ୍ତ ହେଲା, ଲକ୍ଷଣାନନ୍ଦ ନାୟକ ବସ୍ତିର ରାଜେଶ କୁମାର ନାୟକ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ ୩୦.୧୦.୨୦୨୪ ତାରିଖ ଅପରାହ୍ନ ୨.୩୦ରେ ନାବାଳିକା ପୀଡ଼ିତା ସ୍ଥାନୀୟ ତେଜରାତି ଦୋକାନକୁ କିଛି ସାମଗ୍ରୀ କିଣିବା ପାଇଁ ଯାଇଥିଲେ । ସେହି ସମୟରେ ଅଭିଯୁକ୍ତର ମାଉସୀ, ପିଉସୀ ଓ ଭାଇ ମିଳିତ ଭାବେ ପୀଡ଼ିତାଙ୍କ ମୁହଁକୁ ବନ୍ଦ କରି ଏକ ଅଟୋରେ ଅପହରଣ କରି ନେଇ ଯାଇଥିଲେ, ଯେଉଁଥିରେ ପୂର୍ବରୁ ଅଭିଯୁକ୍ତ ଅଟୋ ଭିତରେ ବସି ରହିଥିଲା । ପରେ ଅଭିଯୁକ୍ତ ମାନେ ନାବାଳିକାଙ୍କୁ ଧମକାଇବା ସହ ଅଭିଯୁକ୍ତ ସହ ବିବାହ କରିବା ପାଇଁ ବାଧ୍ୟ କରିଥିଲେ । ହେଲେ ପୀଡ଼ିତା ନାବାଳିକା ଜଣକ ଏନେଇ ମନା କରିଥିଲେ ଓ ତାଙ୍କର ମାଆଙ୍କୁ ଫୋନ ଲଗାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ମାନେ ତାଙ୍କର ମୋବାଇଲ ଫୋନ ଟିକୁ ଛଡାଇ ନେଇ ନଷ୍ଟ କରିଦେଇଥିଲେ । ପରବର୍ତ୍ତୀ ସମୟରେ ପୀଡ଼ିତା କୌଶଳ କ୍ରମେ ଜଣେ ପଡୋଶୀଙ୍କ ମୋବାଇଲରୁ ଘଟଣା ବିଷୟରେ ତାଙ୍କର ମାଆଙ୍କୁ ଫୋନ କରି ଜଣାଇଥିଲେ । ହେଲେ ରହିଥିବା ଠିକଣା ଜଣାଇନଥିଲେ । ଫଳରେ ଏନେଇ ନାବାଳିକାଙ୍କ ମାଆ ନୟାପଲ୍ଲୀ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ମୋବାଇଲ ଟ୍ରାକିଂ ଦ୍ୱାରା ନାବାଳିକାଙ୍କୁ ଅଭିଯୁକ୍ତ ଘରୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି ।