ମା’ ସୁନାମୁହିଁଙ୍କ ଚଡ଼କଯାତ୍ରା : ପ୍ରଥମ ଦିନରେ ବିପୁଳଭକ୍ତଙ୍କ ସମାଗମ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ନେରଡା ଗ୍ରାମ ବୈତରଣୀ ନଦୀ ପଠାରେ ଥିବା ମା’ ସୁନାମୁହିଁଙ୍କ ଚଡ଼କ ଯାତ୍ରା ରବିବାର ନିଶାର୍ଦ୍ଧରୁ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ଗ୍ରାମବାସୀ ମାଗୁଣି ଦଳେଇଙ୍କୁ କାଳିସୀ ଲାଗି ମା’ଙ୍କ ଆଦେଶ ମିଳିବା ମାତ୍ରେ ଶୁକ୍ରବାର ନିଶାର୍ଦ୍ଧରୁ ମୁଖ୍ୟ ପୂଜାବିଧି ସହ ପର୍ବ ଆରମ୍ଭ ହୋଇଥିଲା । ଏହି ସମୟରେ ପୂର୍ବ ବର୍ଷର ମାନସିକଧାରୀମାନେ ବୋଦା, କୁକୁଡ଼ା ଆଦି ମା’ଙ୍କ ପୀଠରେ ଛାଡ଼ କରିଥିଲେ । ଭୋର ୪ଟାରେ ମୁଖ୍ୟ ପୂଜକ ବ୍ରଜକିଶୋର ପଣ୍ଡା ଓ ସାଥିଙ୍କ ଦ୍ୱାରା ଷୋଡଶପୋଚାର ପୂଜା ଆରମ୍ଭ ହୋଇଥିଲା । ଭୋର ୫.୩୦ମିନିଟ ସମୟରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଉନ୍ମୁକ୍ତ ହୋଇଥିଲା ଦିନତମାମ ଲାଗି ରହିଥିଲା ଭକ୍ତଙ୍କ ଗହଳି । ବିପୁଳ ସଂଖ୍ୟକ ଭକ୍ତ ମା’ଙ୍କୁ ଦର୍ଶନ କରିବା ପାଇଁ ଧାଡି ଲଗାଇଥିଲେ । ସନ୍ଧ୍ୟାରେ ସନ୍ଧ୍ୟାଆଳତୀ ଓ ସ୍ୱତନ୍ତ୍ର ପୂଜାପାଠ ହୋଇ ରାତ୍ର ୯ଟାରେ ପହଡ଼ ପଡ଼ିବ ବୋଲି ଜଣାଯାଇଛି । ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଭଜନସନ୍ଧ୍ୟା ଓ ମେଲୋଡି କାର୍ଯ୍ୟକ୍ରମ ଥବା ବେଳେ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅପେରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୨୧ ତାରିଖ ଦିନ ଚଡ଼କ ଯାତ୍ରାର ସମାପନ ହେବ ବୋଲି କମିଟି ସୂଚନା ଦେଇଛି । ଏହି ଯାତ୍ରାକୁ ପୂଜା କମିଟି ସଭ୍ୟମାନେ ପରିଚାଳନା କରୁଥିବା ଜଣାଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପୁଲିସ ପକ୍ଷରୁ ମେଳାରେ ବ୍ୟାପକ ସୁରକ୍ଷା ବନେ୍ଦାବସ୍ତ କରାଯାଇଛି ।