ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମହାସଂଘ : "ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା'
ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟମାନେ ଭେଟି ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଦିବାସୀମାନଙ୍କ ସର୍ବାଙ୍ଗୀନ ବିକାଶ ଆମ ସରକାରର ପ୍ରାଥମିକତା ରହିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସମାଜର ୪ଟି ବର୍ଗଙ୍କ ଭିତରେ ପ୍ରଥମରେ ଥିବା ଗରିବଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଅଛନ୍ତି । ପ୍ରଧାନମନ୍ତ୍ରୀ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆମ ସରକାର ମଧ୍ୟ ଆଦିବାସୀ ମାନଙ୍କ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛି । ଜୀବନ ଜୀବିକା ସହିତ ସେମାନଙ୍କ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ଆଦିବାସୀ ଅଞ୍ଚଳ ଗୁଡିକର ସାମଗ୍ରିକ ବିକାଶ ପାଇଁ ଖୁବଶୀଘ୍ର ଉତ୍ତର ଓଡିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ କରାଯାଉଛି । ଆଦିବାସୀ ସମାଜରୁ କୁସଂସ୍କାର ଦୂର କରିବା ପାଇଁ ମହାସଂଘକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଆଲୋଚନା ମାଧ୍ୟମରେ ସବୁ ସମସ୍ୟା ସମାଧାନ ହେବ ବୋଲି କହିଥିଲେ ।
ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ମହାସଂଘର ସଭାପତି କର୍ମା ଲାକ୍ରା, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ନାୟକ ଏବଂ ପ୍ରାୟ ୧୧ଟି ଜିଲ୍ଲାରୁ ସଦସ୍ୟମାନେ ଯୋଗଦେଇଥିଲେ ।