ମୁଖ୍ୟମନ୍ତ୍ରୀଙ୍କ ‘ଡାଇରିଆ’ ସମୀକ୍ଷା : ‘ଦଶହରା ପର୍ଯ୍ୟନ୍ତ ପ୍ରସ୍ତୁତ ରୁହ’
ଭୁବନେଶ୍ୱର: ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସମୀକ୍ଷା କରିଛନ୍ତି ।
ରାଜ୍ୟରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଓ ନୂତନ ସଂକ୍ରମିତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଥିବା ନେଇ ବୈଠକରୁ ଜଣାପଡିଛି । ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଡାଇରିଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ଜନଜୀବନ ସ୍ୱାଭାବିକ ସ୍ଥିତିକୁ ଫେରିଆସୁଛି ।
ବୈଠକରେ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଯୋଗୁଁ ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି ଓ ସଂକ୍ରମଣ ଦ୍ରୁତ ହ୍ରାସ ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ପରିସ୍ଥିତି ଯେପରି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିବ, ସେଥିପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠୁ ମେଡିକାଲ କଲେଜ ଯାଏଁ ଚିକିସôା ସେବାକୁ ବର୍ତ୍ତମାନ ପରି ସମନ୍ୱିତ ଭାବରେ କାର୍ଯ୍ୟକ୍ଷମ ରଖିବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଏବଂ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ଯେଉଁଠାରେ ରୋଗର ଆଶଙ୍କା ଅଛି କିନ୍ତୁ କେସ ନାହିଁ, ସେଠାରେ ଆଗୁଆ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେବା ସହିତ ଦଶହରା ପର୍ଯ୍ୟନ୍ତ ସମସ୍ତ ପ୍ରଭାବିତ ଏବଂ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳମାନଙ୍କରେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ବୈଠକରେ ସୂଚନା ଦିଆଯାଇଥିଲାଯେ, ସମସ୍ତ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ବିଶୋଧନ ପ୍ରକ୍ରିୟା ଚାଲୁରହିଛି । କୌଣସି ସ୍କୁଲରେ ପିଲା ଯେପରି ରୋଗରେ ନପଡନ୍ତି ସେଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ସମସ୍ତ ନିୟମାବଳୀ ପାଳନ କରି ପ୍ରତିରୋଧକ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିଦେ୍ର୍ଦଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଏହାମଧ୍ୟ କହିଛନ୍ତିଯେ, ଯେଉଁ ସ୍ଥାନମାନଙ୍କରେ ଷ୍ଟ୍ରିଟ ଫୁଡ ବିକ୍ରି ହେଉଛି, ସେହି ସ୍ଥାନମାନଙ୍କରେ ଖାଦ୍ୟ ପଦାର୍ଥର କଡାକଡି ଯାଞ୍ଚ କରିବା ଆବଶ୍ୟକ । ସେହି ଅଞ୍ଚଳଗୁଡିକୁ ବିଶୋଧନ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବା ଦରକାର । ସମସ୍ତ ଗାଁ ଗହଳି ଅଞ୍ଚଳରେ ନଳକୂପଗୁଡିକୁ ବିଶୋଧିତ କରିବା ଏବଂ ପାନୀୟଜଳର ପରୀକ୍ଷା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ସୂଚନାଯୋଗ୍ୟଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ପ୍ରଭାବିତ ଜିଲ୍ଲାମାନଙ୍କରେ ସମୁଦାୟ ୩୮୯୨ ଜଣ ରୋଗଗ୍ରସ୍ତ ହୋଇଥିବା ବେଳେ ୩୫୪୩ ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ୨୫୪ ଜଣ ଚିକିସôାଧୀନ ଅଛନ୍ତି । ରାଜ୍ୟ ସାରା ସୂଚନା- ଶିକ୍ଷା- ସଂଚାର ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମକୁ ଜୋରଦାର ଭାବରେ ଜାରି ରହିଛି । ମିଶନଶକ୍ତି ବିଭାଗ ପକ୍ଷରୁ ଡାଇରିଆ ନିବାରଣ ପାଇଁ ମହିଳା ଏସଏଚଜି ସଦସ୍ୟଙ୍କ ମାଧ୍ୟମରେ ସଚେତନତା ଅଭିଯାନ ଜାରି ରହିଛି । ଆଶା ଦିଦି, ଅଙ୍ଗନବାଡି କର୍ମୀ, ମହିଳା ଏସଏଚଜି ସଦସ୍ୟାମାନେ ସମସ୍ତ ପରିବାରଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଅଭିଯାନରେ ସକ୍ରିୟ ଭାବରେ ସଂଶ୍ଳିଷ୍ଟ ଅଛନ୍ତି । ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଅଶ୍ୱଥି ଏସ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ସୁରକ୍ଷା ବିଭାଗ, ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ ।