ସାଂସଦଙ୍କ ଦ୍ୱାରା ଆର୍ଆଇ ଅଫିସ ଲୋକାର୍ପିତ

 ଭୁବନେଶ୍ୱର  : ସ୍ଥାନୀୟ କଲ୍ୟାଣପୁର ପଞ୍ଚାୟତ ନୂଆବନ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନୂତନଭାବେ ପ୍ରତିଷ୍ଠିତ ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଅଫିସ ଉଦ୍ଘାଟନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ (ଆର୍ଡି) ବିଭାଗ ପକ୍ଷରୁ ପ୍ରାୟ ୧.୪୦ କୋଟି ଟଙ୍କା ବ୍ୟୟରେ ଏହି ଅଫିସ୍ ନିର୍ମାଣ କରାଯାଇଥିବା ବେଳେ ଏହାଦ୍ୱାରା ୨ ପଞ୍ଚାୟତ ୧୧ ରାଜସ୍ୱ ଗ୍ରାମର ପ୍ରାୟ ୨୦ ହଜାର ଲୋକ ଉପକୃତ ହେବେ ।  ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଥିବାରୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଶ୍ରୀମତୀ ଷଡଙ୍ଗୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପୂର୍ବରୁ ୧୦  କିମି ଦୂରରେ ଥିବା ଆରଆଇ ଅଫିସ୍ ଉପରେ ସ୍ଥାନୀୟ ଲୋକେ ଜମିବାଡି ମାପଚୁପ, ବାର୍ଦ୍ଧକ୍ୟ ଭତ୍ତା, ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଦାଖଲ ଖାରଜ ମାମଲା ଭଳି ବିଭିନ୍ନ କାର୍ଯ୍ୟ ଲାଗି  ନିର୍ଭର କରୁଥିଲେ । ଏଥିପାଇଁ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ବ୍ୟକ୍ତିମାନେ ବହୁ ପରିଶ୍ରମକରି ପୂର୍ବରୂ ଥିବା ଆର୍ଆଇ ଅଫିସ୍ ଯାଉଥିଲେ । ନୂଆବନ୍ତରେ ଆର୍ଆଇ ଅଫିସ୍ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଜନସାଧାରଣ ପ୍ରାୟ ୨୦ ବର୍ଷ ହେଲା ପ୍ରଶାସନ ନିକଟରେ ଦାବି କରିଆସୁଥିବା ବେଳେ ଆଜି ତାହା ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀମତୀ ଷଡଙ୍ଗୀଙ୍କ ସମେତ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ତହସିଲଦାର ମୃତୁ୍ୟଞ୍ଜୟ ତ୍ରିପାଠୀ, ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୂପମା ସାହୁ, ଜିଲ୍ଲା ପରିଷଦ (୩୦ ନଂ ଜୋନ୍) ସଭ୍ୟା ବବିତା ରାଉତ, କଲ୍ୟାଣପୁର ସରପଞ୍ଚ ଦେବରାଜ ଭୋଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।