ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ: ଆଗକୁ ‘ଆମ ଶାସନ’ ବ୍ୟବସ୍ଥା 

 ଭୁବନେଶ୍ୱର : ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ  ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ  ବୈଠକ  ଅନୁଷ୍ଠିତ ହୋଇଛି । ଏଥିରେ ଜନକୈନ୍ଦ୍ରିକ ଶାସନ ପରିଚାଳନା ପାଇଁ  ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ଉପରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଛନ୍ତି । କାର୍ଯ୍ୟକାରୀ ହେଉଥିବା ଜନଶୁଣାଣି  ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ କିପରି ସହାୟକ ହୋଇଛି, ସେ ସଂପର୍କରେ ବୈଠକରେ  ସମୀକ୍ଷା କରାଯାଇଥିଲା । ୨୦୨୪ ଜୁନ୍ରୁ ବିଭିନ୍ନ ମାଧ୍ୟମରେ ଗୃହୀତ ହୋଇଥିବା ଜନ ଅଭିଯୋଗ ମଧ୍ୟରେ ଅଦ୍ୟାବଧି  ଶୁଣାଣି ଫଇସଲା ହାର ୮୨%  ହୋଇଛି ବୋଲି ବୈଠକରୁ ଜଣାପଡ଼ିଛି । ଏଥି ସହିତ ବିଭିନ୍ନ ସରକାରୀ ସେବା  ପ୍ରଦାନର ଗୁଣବତ୍ତାକୁ  ଆହୁରି ଉନ୍ନତ କରିବା ଲାଗି ଆଗାମୀ ଦିନରେ ‘ଆମ ଶାସନ’ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସଂପର୍କରେ ଆଲୋଚନା କରାଯାଇଥିଲା ।  
ଓଡ଼ିଶା ଜନସେବା ଅଧିକାର ଅଧିନିୟମ ଅଧୀନରେ ଅନ୍ତର୍ଭୁକ୍ତ ସେବାଗୁଡିକୁ ‘ଆମ ସାଥୀ’  ଏକୀକୃତ ‘ହ୍ୱାଟ୍ସଆପ୍ ବଟ୍’ରେ ସମନ୍ୱିତ କରାଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା  କରାଯାଇଥିଲା ।  ଅନୁମୋଦନ କରାଯାଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ  ଧାର୍ଯ୍ୟ ସମୟସୀମା  ଅନୁସାରେ କାର୍ଯ୍ୟକାରୀ କରାଯିବା, ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ  ଅଗ୍ରଗତି ଇତ୍ୟାଦି  ଅନୁଧାନ ପାଇଁ ଆଗାମୀ  ୩୧ ଅକ୍ଟୋବର ସୁଦ୍ଧା ୱାର୍କ ପାସ୍ ବୁକ୍  ବ୍ୟବସ୍ଥା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଭାଗୀୟ ସିସିଟିଭି ବ୍ୟବସ୍ଥାକୁ ସଂଯୋଗୀକୃତ କରାଯାଇ କେନ୍ଦ୍ରୀୟ ପରିଚାଳନା ନିମନ୍ତେ ସମନ୍ୱିତ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଇଛି ।  ସାମୁହିକ ପ୍ରୟାସରେ ଓଡ଼ିଶାର ଉନ୍ନତି,  କାର୍ଯ୍ୟରେ ଅଭିନବତ୍ୱ ଲାଗି ‘ଓଡ଼ିଶା  ଆଇଡିଆଜ୍ ପୋର୍ଟାଲ ରୋଲଆଉଟ’ ଆରମ୍ଭ ଲାଗି ଆଲୋଚନା ହୋଇଥିଲା । ଏହାସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସବିଶେଷ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।