ମୂର୍ତ୍ତି ପୂଜା ଓ ଉପାସନା


ମନୁଷ୍ୟ ସମାଜରେ ଯେତେଗୋଟି ଧର୍ମ ପ୍ରଚଳିତ ଅଛି ତାହା ମଧ୍ୟରୁ ଅଧିକାଂଶ ପ୍ରତିମା ପୂଜା ବା ପିତୁଳା ପୂଜାକୁ ସ୍ୱୀକାର କରିଛନ୍ତି । ସର୍ବଶକ୍ତିମାନ, ସର୍ବ ବିଦ୍ୟମାନ ଈଶ୍ୱରଙ୍କ ଅସ୍ତିତ୍ୱକୁ ସୀମିତ ବୁଦ୍ଧି ଜ୍ଞାନଦ୍ୱାରା କଳନା କରିବା ସହଜସାଧ୍ୟ ନୁହେଁ । ସେଥିପାଇଁ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ସ୍ରଷ୍ଟାଙ୍କୁ ଗୋଟିଏ ଫଟୋ, ମୂର୍ତ୍ତି ବା ପ୍ରତୀକ ମଧ୍ୟରେ କଳ୍ପନା କରି ତାଙ୍କର ପୂଜା ଆରାଧନା କରିବା, ପ୍ରାଥମିକ ସ୍ତରର ଭକ୍ତମାନଙ୍କ ପାଇଁ ଏକ ସୁଗମ ପନ୍ଥା । ଅବଶ୍ୟ ଭକ୍ତି ବଳରେ ଜଡ଼ ଚୈତନ୍ୟ । ଏକାକାର ହୋଇଯାଏ । ନିର୍ଗୁଣ, ନିରାକାର, ପରଂବ୍ରହ୍ମ ଭକ୍ତର ଭାବରେ ଭୋଳ ହୋଇ ସଗୁଣ ସାକାର ରୂପ ପରିଗ୍ରହ କରନ୍ତି ।  ଆମ ହିନ୍ଦୁ ଧର୍ମରେ ମୂର୍ତ୍ତି ପୂଜାକୁ ଧର୍ମ ଉପାସନାର ମାର୍ଗ ଭାବେ ବର୍ଣ୍ଣନା କରାଯାଇଛି । ଈଶ୍ୱରଙ୍କ ପ୍ରତି ନିଜର ଭକ୍ତି ଓ ଶ୍ରଦ୍ଧାକୁ ଦର୍ଶାଇବାର ଏକ ମାଧ୍ୟମ ଭାବେ ମୂର୍ତ୍ତିପୂଜାକୁ ଗ୍ରହଣ କରାଯାଇଛି । ଈଶ୍ୱର ପ୍ରାପ୍ତି ପାଇଁ ଭକ୍ତି ମାର୍ଗକୁ ଅନୁସରଣ କରୁଥିବା ପ୍ରତ୍ୟେକ ହିନ୍ଦୁ ମୂର୍ତ୍ତିପୂଜାରେ ବିଶ୍ୱାସ ରଖିଥାଏ । ଈଶ୍ୱର ସବୁବେଳେ ଆମ ସହ ଅଛନ୍ତି ମୂର୍ତ୍ତି ପୂଜା ତାର ଏକ ପ୍ରମାଣ । ମୂର୍ତ୍ତିପୂଜା ଦ୍ୱାରା ବ୍ୟକ୍ତିର ଏକାଗ୍ରତା ବୃଦ୍ଧି ପାଇଥାଏ । ଏହା ତାକୁ ଈଶ୍ୱରଙ୍କ ନିକଟତର କରାଇଥାଏ । ନୀରବତାର ସହ ଈଶ୍ୱରଙ୍କ ସଂପର୍କ ରକ୍ଷା କରିବା ପାଇଁ ମୂର୍ତ୍ତିପୂଜା ସର୍ବଶ୍ରେଷ୍ଠ ଅଟେ । ମୂର୍ତ୍ତିପୂଜା ଜଣେ ଭକ୍ତକୁ ତାର ପ୍ରକୃତ ସ୍ଥିତି ସଂପର୍କରେ ଜଣାଇଦିଏ । ଶରୀର ନଶ୍ୱର ଅଟେ ଓ ଆତ୍ମା ହିଁ ଚିରନ୍ତନ ଅଟେ ବୋଲି ଏହା ଭକ୍ତକୁ ଜଣାଇଦିଏ । ସାଧାରଣତଃ ହିନ୍ଦୁମାନେ ମନ୍ଦିରରେ ଓ ଘରେ ମୂର୍ତ୍ତିପୂଜା କରିଥାଆନ୍ତି । ତେବେ ମନ୍ଦିରରେ ଓ ଘରେ କରାଯାଉଥିବା ମୂର୍ତ୍ତିପୂଜା ମଧ୍ୟରେ ପାର୍ଥକ୍ୟ ରହିଛି । ମନ୍ଦିରରେ ସାଧାରଣତଃ ଆମେ ବିଶାଳକାୟ ମୂର୍ତ୍ତି ଦେଖିବାକୁ ପାଇଥାଉ । ଏହା ମନରେ ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା ଓ ଆକର୍ଷଣ ସୃଷ୍ଟି କରିଥାଏ । 
    ଦେବଦତ୍ତ ବିଶ୍ୱାଳ
ମୋ : ୯୮୬୧୯୪୪୫୯୪