ନୂଆବର୍ଷରେ ଛାଡ଼ଖାଇ

ଜାନୁଆରୀ ୧ ତାରିଖ ଦିନକୁ ଉତ୍ସବ ଭାବରେ ମନେଇ ପାଲନ କରିବାକୁ ଲୋକମାନେ କିଭଳି ପାଗଳ, ତାହା ଆମିଷ ବଜାରକୁ ଦେଖିଲେ ଜଣାପଡ଼େ । ଜାନୁଆରୀ ୧ ତାରିଖ ଦିନ ବଡ଼ି ଭୋର୍ରୁ ଲୋକମାନେ ଆମିଷ ବଜାରରେ ପହଞ୍ଚି ଯାଇଥିଲେ । କେବଳ ରାଜଧାନୀ ଭୁବନେଶ୍ୱରରେ ସେଦିନ ୫ କୋଟି ଟଙ୍କାର କାରବାର ହୋଇଥିବା ଏକ ଆକଳନ କରାଯାଇଛି । ରାଜଧାନୀ କ୍ଷେତ୍ରରେ ଭିତରେ ପ୍ରାୟ ୧୮୦ ଟନ୍ ଚିକେନ୍, ୧୧୭ରୁ ଉଦ୍ଧ୍ୱର୍ ଟନ୍ର ମାଛ ଲୋକମାନେ କିଣି ନେଇଥିବା ବେଳେ ପାଖାପାଖି ୨ କୋଟି ଟଙ୍କାର ମଟନ୍ ବିକ୍ରି ହୋଇଥିଲା । ଏହା ପ୍ରାୟ ସାଢ଼େ ୫୫ ଟନ୍ ଓଜନ ହେବ । କେବଳ ସେତିକି ନୁହେଁ, ଛୋଟବଡ଼ ସବୁ ହୋଟେଲ୍ ଗୁଡ଼ିକ ମଧ୍ୟ ଆମିଷ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ମାଛ, ଚିକେନ୍, ମଟନ୍, ଚିଙ୍ଗୁଡ଼ି, କଙ୍କଡ଼ା ଆଦି ବିପୁଳ ପରିମାଣରେ କିଣି ନେଇଥିଲେ । ଲକ୍ଷ ଲକ୍ଷ ଲୋକ ବିଭିନ୍ନ ଭୋଜିସ୍ଥଳୀ ବା ପିକ୍ନିକ୍ ସ୍ପଟ୍ରେ କେବଳ ଆମିଷ ବ୍ୟଞ୍ଜନ ଉପରେ ଗୁରୁତ୍ୱ ଦେଇଥିଲେ । ଆମିଷ ବଜାରର ବ୍ୟବସାୟୀ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ପହିଲା ଦିନ ୬ କୋଟି ୧୪ ଲକ୍ଷ ୩୦ ହଜାର ଟଙ୍କାର ବ୍ୟବସାୟ ହୋଇଥିଲା । ଚଳିତ ଜାନୁଆରୀ ୧ ତାରିଖ ବୁଧବାରେ ପଡ଼ିଥିବାରୁ ସବୁ ଆମିଷାଷୀ ଲୋକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଥିଲା । କାରଣ ଆମ ଦେଶରେ ଲୋକମାନେ ବାର ଦେଖି ଆମିଷ ଖାଆନ୍ତି । ସେ ଦୃଷ୍ଟିରୁ ବୁଧବାର ହେଉଛି ଆମିଷ ଖାଇବାର ବାର । ଅନ୍ୟ ବାରରେ ଖାଇଲେ କ୍ଷତିଟା କଣ, ସେକଥା ଏସବୁକୁ ମାନୁଥିବା ଲୋକଙ୍କୁ ହିଁ ଜଣା । ନୂଆବର୍ଷ ଯଦି ସୋମବାରରେ ବି ପଡ଼ିଥାନ୍ତା, ଆମିଷ ଖାଇବା ଲୋକେ କେବେ ହେଲେ ନିରାମିଷ ଭୋଜି କରିନଥାନ୍ତେ । କାରଣ ଆମିଷ ନଥାଇ ଭୋଜି ପ୍ରାୟତଃ ହୁଏ ନାହିଁ । ତେବେ ସଂଯୋଗବଶତଃ ନୂଆବର୍ଷଟି ବୁଧବାର ଦିନ ପଡ଼ିଥିବାରୁ ଲୋକମାନେ ବର୍ଷର ପ୍ରଥମ ଦିନ ଭାବରେ ଏହାକୁ ମଉଜମସ୍ତିରେ ପାଳନ କରିବା ପାଇଁ ଆଗେଇ ଆସିଥିଲେ । 
ଅନ୍ୟପକ୍ଷରେ ଫୁଲ ବଜାରର ଦୃଶ୍ୟ ଏହାର ବିପରୀତ ଚିତ୍ର ଦିଏ । କିଛି ବର୍ଷ ପୂର୍ବେ ସମାଜର ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜାନୁଆରୀ ୧ ତାରିଖ ଦିନ ଫୁଲ ତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ପାଇଁ ପ୍ରତିଯୋଗିତା ଲାଗିଯାଏ । କିନ୍ତୁ ଚଳିତବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ତର. ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ଶୋକ ରାଷ୍ଟ୍ର ପାଳନ କରୁଥିବା ବେଳେ ନୁଆବର୍ଷ ଆସିଯାଇଛି । ତେଣୁ ରାଜନେତା ମାନେ ନୁଆବର୍ଷକୁ ଉତ୍ସବ ଭାବରେ ପାଳନ କରିବାକୁ ଚାହିଁନାହାନ୍ତି ଏବଂ କିଛି ରାଜନେତା ସ୍ପଷ୍ଟ ଭାବରେ ଲୋକଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କ ନିକଟକୁ ଆସିଥିବା ଲୋକମାନେ ଫୁଲତୋଡ଼ା ଧରି ଆସନ୍ତୁ ନାହିଁ । ଏହା ଫଳରେ ଅନ୍ୟ ବସ୍ତୁ ଭଳି ଫୁଲ ବଜାରରେ ସେତେଟା ଆଗ୍ରହ ଏବଂ ଉତ୍ସାହ ନଥିଲା । ଫୁଲ ବ୍ୟବସାୟୀଙ୍କ ବ୍ୟବସାୟ ମାନ୍ଦା ପଡ଼ିଯାଇଥିଲା । ଆମିଷ ବଜାର ଏବଂ ଫୁଲ ବଜାର ସମ୍ପୂର୍ଣ୍ଣ ରୂପେ ବିପରୀତମୁଖୀ ହୋଇ ଯାଇଥିଲେ । 
ବର୍ତ୍ତମାନର ସମୟ ହେଉଛି ଉପଭୋଗବାଦର ସମୟ । ଜୀବନକୁ ଉପଭୋଗ କରିବାକୁ ସମସ୍ତେ ଚାହାନ୍ତି । ଏ କ୍ଷେତ୍ରରେ କୌଣସିବି ସୁଯୋଗକୁ ହାତଛଡ଼ା କରିବାକୁ କେହି ପ୍ରସ୍ତୁତ ନାହାନ୍ତି । ଉପଭୋଗବାଦର ଏହି ଚିତ୍ରକୁ ଜାନୁଆରୀ ୧ ତାରିଖ ଦିନ ନୂଆବର୍ଷକୁ ବିଶ୍ଳେଷଣ କରିଲେ ଦେଖାଯାଏ ଯେ ଗୋଟିଏ ପକ୍ଷରେ ଲୋକେ ସକାଳୁ ଧର୍ମପୀଠ ଗୁଡ଼ିକରେ ଭିଡ଼ ଜମେଇ ଥିଲେ ମଧ୍ୟ ଆମିଷ ବଜାରରେ ଧାଡ଼ି ଦେବା ପାଇଁ ସମୟ ବାହାର କରିପାରିଥିଲେ ଏବଂ ମଧ୍ୟାହ୍ନ ବେଳକୁ ଏକ ଆମିଷ ମିଲ୍ ଉପଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥା କରି ଦେଇଥିଲେ । ଏହା ଏକ ଦ୍ୱନ୍ଦ୍ୱାତ୍ମକ ଚରିତ୍ରର ନଗ୍ନଚିତ୍ରକୁ ପ୍ରଦର୍ଶନ କରୁଛି ।