ମୋଦି ଓ ପୁଟିନଙ୍କ ବନ୍ଧୁତ୍ୱ
ଡ.ପ୍ରମୋଦ କୁମାର ପଣ୍ଡା : ନରେନ୍ଦ୍ର ମୋଦୀ ଓ ଭ୍ଲାଦିମିର ପୁଟିନ ସମସାମୟିକ, ଖ୍ୟାତିସମ୍ପନ୍ନ ଦୁଇ ବୈଶ୍ୱିକ ରାଷ୍ଟ୍ରାଧ୍ୟକ୍ଷ, ଚର୍ଚ୍ଚିତ ଚେହେରା, ଅଭିଜ୍ଞ ରାଜନେତା ଓ ସମର୍ପିତ ବ୍ୟକ୍ତିତ୍ୱ। ବିଗତ ଆଠ ଦଶନ୍ଧି ଧରି ଭାରତ ଓ ରୁଷ ମଧ୍ୟରେ ମଧୁର ସମ୍ପର୍କ ରହିଛି। ଉତ୍ତମ ବୁଝାମଣା ଅଛି । ଉଭୟେ ବନ୍ଧୁ ରାଷ୍ଟ୍ର । କେବଳ ବ୍ୟବସାୟିକ କିମ୍ବା କୂଟନୈତିକ ନୁହଁ, ଭାବନାତ୍ମକ ଚୁମ୍ବକୀୟ ଶକ୍ତିରେ ଦୁଇଦେଶ ପରସ୍ପର ପ୍ରତି ଆକର୍ଷିତ । କମିବାରେ ଲାଗିଛି ଦୂରତ୍ୱ । ବଳିଷ୍ଠ ହେଉଛି ବନ୍ଧନ ।
୨୦୦୧ ମସିହାର ଘଟଣା । ଅଟଳ ବିହାରୀ ବାଜପେୟୀ ଭାରତବର୍ଷର ପ୍ରଧାନମନ୍ତ୍ରୀ, ଭ୍ଲାଦିମିର ପୁଟିନ ସୋଭିଏତ ସଙ୍ଘ ରାଷ୍ଟ୍ରପତି ଓ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ । ଭ୍ଲାଦିମିର ଭାରତ ଗସ୍ତରେ ଥାଆନ୍ତି । ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ସାକ୍ଷାତ କରିବାକୁ ଦିଲ୍ଲୀ ଆସିଥାଆନ୍ତି ନରେନ୍ଦ୍ର ମୋଦୀ । ସୌଭାଗ୍ୟକ୍ରମେ ଭାରତ - ସୋଭିଏତ ସଙ୍ଘ ଦ୍ୱିପାକ୍ଷିକ ଆଲୋଚନା ବେଳେ ମୋଦୀଙ୍କ ଭେଟ ହୁଏ ପୁଟିନଙ୍କ ସହିତ । ଘନିଷ୍ଠତା ବଢେ ଓ କାଳକ୍ରମେ ମିତ୍ରତାର ରୂପ ନିଏ । ୨୦୦୧ ମସିହାରୁ ଦୀର୍ଘ ୨୫ ବର୍ଷ ହେଲା ଭ୍ଲାଦିମିର ପୁଟିନ ରୁଷରେ କ୍ଷମତାସୀନ ଅଛନ୍ତି । ଅଳ୍ପ କାଳ ପାଇଁ ପ୍ରଧାନମନ୍ତ୍ରୀ ଓ ଦୀର୍ଘଦିନ ଧରି ରାଷ୍ଟ୍ରପତି । ଦୁଇଥର ଲଗାତାର ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦାସୀନ ପରେ ସମ୍ପ୍ରତି ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ । ଏହା ତାଙ୍କର ତୃତୀୟ ପାଳି । ଉଭୟ ମୋଦୀ ଏବଂ ପୁଟିନ ରାଷ୍ଟ୍ର ପ୍ରମୁଖ । ଘନିଷ୍ଠ ମିତ୍ର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ରକ୍ଷାକରି ରାଷ୍ଟ୍ରପତି ପୁଟିନ ଦୁଇଦିନିଆଁ ଭାରତ ଗସ୍ତରେ ଆସି ସ୍ୱଦେଶ ପ୍ରତ୍ୟାବର୍ତ୍ତିତ ହୋଇସାରିଛନ୍ତି । ଏସସିଓ ଶିଖର ସମ୍ମିଳନୀରେ ଦୁଇ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ଶେଷ ସାକ୍ଷାତ ହୋଇଥିଲା । ଆମେରିକା ଭାରତ ଉପରେ ୫୦% ତାରିଫ କଷିଛି । ଦୁଇ ଦେଶ ମଧ୍ୟରେ ଏଯାବତ ଆନ୍ତଃ ବାଣିଜ୍ୟ ଚୁକ୍ତି ହୋଇନାହିଁ । ରୁଷିଆ ଉପରେ ମଧ୍ୟ ଆମେରିକା ଶତାଧିକ ପ୍ରତିବନ୍ଧ ଲଗେଇଛି । ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ଆନ୍ତଃରାଷ୍ଟ୍ରୀୟ ଅପରାଧ ନ୍ୟାୟାଳୟ ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିପକ୍ଷରେ ଗିରଫ ପରୱାନା ଜାରି କରିଛନ୍ତ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ଭାରତ ଗସ୍ତ ବିଶ୍ୱକୁ, ବିଶେଷ କରି ପଶ୍ଚିମୀ ରାଷ୍ଟ୍ରମାନଙ୍କୁ ଚକିତ କରିଛି । କିନ୍ତୁ ବାସ୍ତବତା ହେଲା ସଙ୍କଟରେ ମଧ୍ୟ ରୁଷ ଓ ଭାରତର ସମ୍ପର୍କ ଅତୁଟ ରହିଛି । ମିତ୍ରତା ଅକ୍ଷୁଣ୍ଣ ଅଛି । ଆମେରିକାର କୂଟନୈତିକ ଓ ଅର୍ଥନୈତିକ ଚାପ ଭାରତ କିମ୍ବା ରୁଷ ଉପରେ କୌଣସି ପ୍ରଭାବ ପକାଇବାରେ ଅକ୍ଷମ ହୋଇଛି । ପରମାଣୁ ଶକ୍ତିସମ୍ପନ୍ନ ଭାରତ ଓ ରୁଷର ଦିଦିନିଆଁ ଦ୍ୱିପାକ୍ଷିକ ଆଲୋଚନା ସମଗ୍ର ବିଶ୍ୱକୁ ସନ୍ଦେଶ ଦେଇଛି ଯେ ଏଣିକି କୌଣସି ଏକ ରାଷ୍ଟ୍ରର ମନମୁଖୀ ନିଷ୍ପତ୍ତି ଏକଚାଟିଆ ରାଜତ୍ୱ ଓ ଦାଦାଗିରି ଚଳିବନି । ପରମ ମିତ୍ର ଆଗରେ ପ୍ରୋଟୋକଲ ଗୁରୁତ୍ୱ ରଖେନି । ରୁଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୟଂ ନିଜେ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ଦୁଇ ପୁରୁଣା ବନ୍ଧୁ ପରସ୍ପରକୁ ହଗ କରିଥିଲେ । ହାତ ମିଳାଇଥିଲେ ।
କଡା ସୁରକ୍ଷା ବଳୟ ଭିତରେ ଉଭୟ ନେତା ଧଳା ଫର୍ଚ୍ୟୁନର ଗାଡ଼ିରେ ଏକତ୍ର ଦିଲ୍ଲୀ ୭, ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧିକାରିକ ଆବାସରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ବ୍ୟକ୍ତିଗତ ରାତ୍ରିଭୋଜନ ଆୟୋଜିତ ହୋଇଥିଲା । ପରଦିନ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ସେ ଦିଲ୍ଲୀ ରାଜଘାଟ ଯାଇଥିଲେ । ଜାତିର ପିତା ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ସମାଧି ପୀଠରେ ଦର୍ଶନ କରିଥିଲେ । ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିରୁ ତାଙ୍କର ହିଂସା ବିରୋଧୀ ମନୋଭାବ ସ୍ପଷ୍ଟ ଜଣାପଡେ । ସେ କୁହନ୍ତି ୟୁକ୍ରେନ ଯୁଦ୍ଧ ରୁଷିଆ ଆରମ୍ଭ କରିନଥିଲା । ୟୁକ୍ରେନ ସମେତ ସମସ୍ତ ରାଷ୍ଟ୍ରର ନିଜ ନିଜ ସଂପ୍ରଭୁତା ରକ୍ଷା କରିବାର ଅଧିକାର ରହିଛି । ଅନ୍ୟ ରାଷ୍ଟ୍ରକୁ ବିପଦରେ ପକାଇ ନିଜର ସଂପ୍ରଭୁତା ରକ୍ଷା ନୀତିସଙ୍ଗତ ନୁହେଁ । ତେଣୁ ପରିସ୍ଥିତି ଅନୁଯାୟୀ ଯୁଦ୍ଧ ଏକ ବାଧ୍ୟବାଧକତା ଓ କର୍ତ୍ତବ୍ୟ ବନିଯାଏ । ସେ ଶାନ୍ତି ଚାହାଁନ୍ତି, ଯୁଦ୍ଧ ନୁହେଁ । କିନ୍ତୁ ଏହାପାଇଁ ଏକ ବିକଳ୍ପ ମାର୍ଗ ଖୋଜିବାକୁ ହେବ ଯଦ୍ୱାରା ଉଭୟ ଦେଶର ହିତ ସାଧିତ ହେବ । ରୁଷ - ଭାରତ ୨୩ତମ ଶିଖର ବୈଠକ ଦିଲ୍ଲୀ ହାଇଦ୍ରାବାଦ ହାଉସରେ ଆୟୋଜିତ ହୋଇଥିଲା । ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଭାରତ ରୁଷ ସମ୍ପର୍କ ସୁଦୃଢ କରବା ପାଇଁ ବିଶଦ ବିଚାର ବିମର୍ଶ ହେଲା । ୧୯ ଗୋଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ପଶ୍ଚିମୀ ରାଷ୍ଟ୍ରଙ୍କ ଚାପ ସତ୍ତେ୍ୱ ପୂର୍ବାପେକ୍ଷା ତେଲ, ଗ୍ୟାସ, ରିଫାଇନେରୀ, ପେଟ୍ରୋକେମିକେଲ ଓ ପରମାଣୁ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ଉଭୟ ଦେଶ ରାଜି ହୋଇଥିଲେ । ରୁଷର ଜନସଂଖ୍ୟା ୧୫ କୋଟି । ସେଠି ଶ୍ରମିକଙ୍କ ଅଭାବ । ୧୦ ଲକ୍ଷ ଭାରତୀୟଙ୍କୁ ରୋଜଗାର ଦେବାପାଇଁ ସହମତି ପ୍ରକାଶ ପାଇଥିଲା । ଭାରତ ରୁଷ ମଧ୍ୟରେ ୫.୮୦ ଲକ୍ଷ କୋଟିର ବ୍ୟବସାୟ ଚାଲିଛି । ଯାହା ଆସନ୍ତା ୨୦୩୦ ସୁଦ୍ଧା ୯ ଲକ୍ଷ କୋଟିକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଭାରତ ରୁଷକୁ କମ ନିର୍ଯ୍ୟାତ କରେ । ରୁଷରୁ ଅଧିକ ଆମଦାନି କରେ । ତେଣୁ ଭାରତୀୟ ସାମଗ୍ରୀର ଅଧିକରୁ ଅଧିକ ବିକ୍ରିପାଇଁ ରୁଷ ବଜାର ଉନ୍ମୁକ୍ତ ରହିବ । ମାନବ ଅନ୍ତରୀକ୍ଷ ମିଶନ ଉପରେ ଉଭୟ ଦେଶ ସଂଯୁକ୍ତ ଭାବେ କାମ କରିବେ । ନେଭିଗେସନ, ଡିପ ସ୍ପେସ ରକେଟ ଇଂଜିନ ବିକାଶରେ ରୁଷ ଭାରତକୁ ସହଯୋଗ କରିବ । ଜାତିସଙ୍ଘ ନିରାପତ୍ତା ସମିତିରେରେ ଭାରତର ସ୍ଥାୟୀ ସଦସ୍ୟତା ଓ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା ପାଇଁ ରୁଷ ଭାରତକୁ ସମର୍ଥନ କରିବ । ଟଙ୍କା ଓ ରୁବଲରେ ଅଧିକ ବ୍ୟବସାୟ ହେବ ଯାହା ଡିଡଲାରାଇଜେସନରେ ସାହାଯ୍ୟ କରିବ । ନୂଆ ଟ୍ରେଡ଼ କରିଡର ନିର୍ମିତ ହେବ । ଫଳତଃ ଭାରତର ରପ୍ତାନି ସାମଗ୍ରୀ ରୁଷରେ ୩୦ରୁ ୩୫ ଦିନ ପରିବର୍ତ୍ତେ ୨୦ ରୁ ୨୫ ଦିନ ମଧ୍ୟରେ ପହଞ୍ଚି ପାରିବ । ଶିଖର ବୈଠକ ଶେଷରେ ଉଭୟ ନେତା ଗଣମାଧ୍ୟମକୁ ସଂଯୁକ୍ତ ବିବୃତି ପ୍ରଦାନ କରିଥିଲେ । ଯୁଦ୍ଧ ସମ୍ପର୍କରେ ଭାରତ ତାର ସ୍ପଷ୍ଟ ପକ୍ଷ ରଖିଥିଲା । ବିବୃତିରେ ଭାରତ କହିଥିଲା ସେ ନିରପେକ୍ଷ ତଟସ୍ଥ ନୁହେଁ, ସେ ସର୍ବଦା ଶାନ୍ତିର ପକ୍ଷଧର । ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତିଙ୍କୁ ରୁଷି ଭାଷାରେ ଅନୁବାଦିତ ଏକ ଶ୍ରୀମଦ୍ଭଗବଦ୍ ଗୀତା ଉପହାର ଦେଇଥିଲେ । ଭାରତର ମହାମହିମ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ରାଷ୍ଟ୍ରିୟ ନୈଶ୍ୟଭୋଜିର ଆୟୋଜନ କରିଥିଲେ ଯାହା ଅତିଥି ଦେବୋ ଭବଃର ବାର୍ତ୍ତା ପ୍ରଦାନ କରେ । ୟୁକ୍ରେନ ଯୁଦ୍ଧ ପରେ ଭ୍ଲାଦିମିର ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ । ତେଣୁ ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିବା ସ୍ୱାଭାବିକ । ଦୁଇ ବିଶ୍ୱସ୍ତରୀୟ ନେତାଙ୍କ ବୈଠକ ଅନେକ ମହତ୍ତ୍ୱ ବହନ କରେ । ତେବେ, ବୈଶ୍ୱିକ ସ୍ତରରେ ଭାରତର ଗୁରୁତ୍ୱ ସମସ୍ତଙ୍କୁ ଅବଗତ । ଭାରତ ତାର ନୀତିନିଷ୍ଠ ପ୍ରୟାସ ଯୋଗୁଁ ନିଶ୍ଚୟ ବିଶ୍ୱଗୁରୁ ପଦ ଅଳଙ୍କୃତ କରିବ । ରାଷ୍ଟ୍ର ହିତରେ ମୋଦୀଙ୍କ ସମର୍ପିତ ବନ୍ଧୁତ୍ୱକୁ ବିଶ୍ୱ ସଦା ମନେରଖିବ ।
ସମ୍ବଲପୁର, ମୋ:୭୯୭୮୨୮୩୧୯୦