ପ୍ରାଚୀନ ଆହାର ପରମ୍ପରାର ମହତ୍ତ୍ୱ 

ନାରାୟଣ ଚନ୍ଦ୍ର ବିଶ୍ୱାଳ : ଏକ ଚା'ଚାମଚ ବଗିଚା ମାଟିରେ ପ୍ରାୟ ୫୦ ବିଲିୟନ ଅଣୁଜୀବ ବାସ କରନ୍ତି । ସମୟ ଥିଲା ଡାକ୍ତରମାନେ ଶିଶୁଙ୍କୁ ଧୂଳି ବାଲିରେ ଖେଳିବାକୁ ମନା କରୁଥିଲେ । ଏବେ ରୋଗ ପ୍ରତିରୋଧକ ଶକ୍ତି ସମ୍ବନ୍ଧରେ ଜ୍ଞାନ ଆସିବା ପରେ ଡାକ୍ତରମାନେ ମଧ୍ୟ ଆଉ ବାରଣ କରୁନାହାଁନ୍ତି । ମଣିଷ ଶରୀର ଭିତରେ ଏବଂ ବାହାରେ ପ୍ରାୟ ୩୮୦ ଟ୍ରିଲିଅନ୍‌ ଭୂତାଣୁ ବାସ କରନ୍ତି । ଏହାର ଦଶ ଭାଗରୁ ଏକ ଭାଗ ଜୀବାଣୁ ମଧ୍ୟ ଆମ ଦେହରେ ବାସ କରନ୍ତି । ଏହାଛଡ଼ା ଆମ ଶରୀରରେ ଫଙ୍ଗସ୍‌ ଏବଂ ପ୍ରୋଟୋଜାଆ ବାସ କରନ୍ତି । ଏହି ଭୂତାଣୁ ମାନଙ୍କ ମଧ୍ୟରୁ ମାତ୍ରାଧିକ ଆମର କିଛି କ୍ଷତି କରନ୍ତିନାହିଁ । ବଳକା କ୍ଷତିକାରକ ଭୂତାଣୁ ମାନଙ୍କ ପାଇଁ ଆମ ଶରୀରର ସକ୍ରିୟ ରୋଗ ପ୍ରତିରୋଧକ ଶକ୍ତି ଜମ ସଦୃଶ । ଏହି ଶକ୍ତି କ୍ଷତିକାରକ ଭୂତାଣୁମାନଙ୍କୁ କାବୁ କରି ନିଶେଷ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ପାଇଁ ଏହାର ଏକ ବିବରଣୀ ମଧ୍ୟ ରଖନ୍ତି । ଯାହାକୁ ଆମେ ଆଣ୍ଟିବଡ଼ି କହୁ । ତେଣୁ ଏତେ ଡରିବାର ଆବଶ୍ୟକ ନାହିଁ । ପିଲାଟିଏ ମାଟି ବାଲିରେ ଖେଳେ । ଚାଷୀଟିଏ ବା ଶ୍ରମିକଟିଏ ମାଟି ସହ ମାଟି ହୋଇ ପରିଶ୍ରମ କରେ । ଆବଶ୍ୟକ ପଡ଼ିଲେ ବର୍ଷାଦିନେ ବିଲ କାମ କରୁଥିବାବେଳେ ଶୋଷ ଲାଗିଲେ ବିଲରୁ ପାଣି ଆଞ୍ଜୁଳାକରି ପିଏ । ଗରିବ ଶ୍ରେଣୀର ଲୋକେ ସାତ ଦିନର ବାସି ପଖାଳ ଖାଇଲେ ବି ସେମାନଙ୍କର କିଛି ହୁଏନାହିଁ । ଅଥଚ ସହରର ମିନେରାଲ ପାଣି ପିଉଥିବା ପିଲାମାନେ ଥରେ ଗୁପ୍‌ଚୁପ୍‌ ଖାଇଦେଲେ ପତଳା ଝାଡ଼ା ହୋଇଯାଏ । ଏସବୁ ହେଉଛି ରୋଗ ପ୍ରତିରୋଧକ ଶକ୍ତିର କମାଲ । ପାଶ୍ଚାତ୍ୟ ଦେଶରେ ରହୁଥିବା ଆମ ଓଡ଼ିଆ ପିଲାମାନେ କଟକ ଆସିଲେ ବାପା ମାଆଙ୍କ ପାଖରେ ନ ରହି, ନଖାଇ ହୋଟେଲରେ ରହୁଛନ୍ତି ଏବଂ ଖାଉଛନ୍ତି । କାରଣ ଘର ଖାଦ୍ୟ ଖାଇଲେ ପେଟ ରୋଗ ବା ଝାଡ଼ା ବାନ୍ତିର ଆଶଙ୍କା ଅଛି । ବରଂ ପୁଅବୋହୂ ଘରକୁ ଆସିଲେ କେବଳ ଚା'କପେ ପିଇବା ଶ୍ରେୟସ୍କର ମନେକରୁଛନ୍ତି ।


      ୨୦୧୧ ମସିହାରେ ତିନି ଜଣ ବୈଜ୍ଞାନିକ ରୋଗ ପ୍ରତିରୋଧକ ଶକ୍ତି ଉପରେ ନୋବେଲ ପୁରସ୍କାର ପାଇଥିଲେ । ଏମାନଙ୍କ ମଧ୍ୟରୁ ଦୁଇଜଣ ଆମ କ୍ଷୁଦ୍ରାନ୍ତ୍ରରେ ଆଣ୍ଟିବାୟୋଟିକ ଔଷଧ କ୍ଷରଣ କରିପାରୁଥିବା ଜୀବକୋଷ ସମୂହର ସନ୍ଧାନ ପାଇଥିଲେ । ପେଟ ଭିତରକୁ ଖରାପ ଜୀବାଣୁ ଗଲେ ଏମାନେ ଜାଣିପାରି ତାଙ୍କ ଉପରକୁ ଏହି ଆଣ୍ଟିବାୟୋଟିକ ଔଷଧ ସିଞ୍ଚନ କରନ୍ତି । ସେମାନଙ୍କ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଅତ୍ୟଧିକ ସ୍ୱାସ୍ଥ୍ୟ ସଚେତନ ମଣିଷ ଯେଉଁମାନେ ମିନେରାଲ ପାଣି ଛାଡ଼ି ଅନ୍ୟ ପାଣି ପିଅନ୍ତି ନାହିଁ ରୋଗ ପ୍ରତିରୋଧକ ଶକ୍ତି ହରାଇଥାନ୍ତି । ଏମାନଙ୍କର ଏହି ଆଣ୍ଟିବାୟୋଟିକ କୋଷମାନ ଆକୃତିରେ ଧୀରେ ଧୀରେ ଛୋଟ ହୋଇ ଉଭେଇ ଯାଆନ୍ତି । ପେଟ ଭିତରକୁ ବାହାରର କ୍ଷତିକାରକ ଜୀବାଣୁ ନଯିବା ଦ୍ୱାରା ଏହି କୋଷ ଗୁଡ଼ିକ ଅକର୍ମା ହୋଇ ଧୀରେ ଧୀରେ ଖର୍ବାକାର ହୁଅନ୍ତି । ଏଥିପାଇଁ ଆଜିକାଲି ଆପଣ ଘରେ ଥିଲେ ଡାକ୍ତରମାନେ ଫିଲଟର ପାଣି ସହ ଅଳ୍ପ କିଛି ସାଧା ପାଣି ମିଶାଇ ପିଇବାକୁ କହୁଛନ୍ତି । ଏହାଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିର କ୍ଷୟ ହେବନାହିଁ । ସେମାନଙ୍କ ଭାଷାରେ ପ୍ରାୟ ଶତକଡ଼ା ୭୦ଭାଗ ରୋଗ ପ୍ରତିରୋଧକ ଶକ୍ତି ପେଟ ହିଁ ଦେଇଥାଏ । ସେହି ବର୍ଷ ଆର ଡାକ୍ତର ଜଣକ ଆଉ ଏକ ଆବିଷ୍କାର କଲେ ତାଙ୍କ ଭାଷାରେ ଆମ ରକ୍ତରେ ଡେନ୍‌ଡ୍ରାଇଟିକ୍‌ ସେଲ୍‌ ନାମକ ଏକ କୋଷ ରହିଛନ୍ତି ଯାହା ଦେହରେ ଥିବା ଅହିତକାରୀ ଜୀବାଣୁ ଓ ଭୂତାଣୁ ମାନଙ୍କୁ ଗ୍ରାସ କରି ଆମକୁ ସୁସ୍ଥ ରଖନ୍ତି । ଏଗୁଡ଼ିକ ଜନ୍ମରୁ ଥାଆନ୍ତି ଏବଂ କେତେକ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସୃଷ୍ଟି ହୁଅନ୍ତି । ତେଣୁ ଈଶ୍ୱରୀୟ ଶକ୍ତି ଦ୍ୱାରା ଆମେ ସଶକ୍ତ ବୋଲି କହିବାକୁ ହେବ । ସମୟ ଆସିଯାଇଛି ଆମ ଭବିଷ୍ୟତ ପିଢ଼ିକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ପାଇଁ । ଦେଖାଯାଏ ଯେ ଗୋଟିଏ ଔଷଧ ବିଭିନ୍ନ ରୋଗଙ୍କ ଦେହରେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରେ । ବୟସ, ଲିଙ୍ଗ, ରୋଗ ସମାନ ଥାଇ ମଧ୍ୟ ଗୋଟିଏ ଔଷଧ ଖାଇ ଜଣେ ସୁସ୍ଥ ହେଉଥିବାବେଳେ ଆଉ ଜଣେ ସୁସ୍ଥ ହେଉନାହିଁ । ଏସବୁ ମୂଳରେ ରୋଗପ୍ରତିରୋଧକ ଶକ୍ତି । ଏବେ ବଜାରରେ ବିଭିନ୍ନ କିସମର ଉନ୍ନତମାନର ଜି.ଏମ୍‌. ବା ଜେନେଟିକାଲି ମୋଡ଼ିଫାଏଡ଼ ଖାଦ୍ୟଶସ୍ୟ ମିଳୁଛି ଯାହା ସେମାନଙ୍କର ଜୀନିୟ ପରିବର୍ତ୍ତନ କରି ଉତ୍ପାଦନ କରାଯାଉଛି । ଏହାର ଉଦ୍ଦେଶ୍ୟ ଅଧିକ ଅମଳ ପାଇବା ସଙ୍ଗେ ସଙ୍ଗେ ରୋଗ ପୋକ ଦାଉରୁ ଶସ୍ୟକୁ ରକ୍ଷା କରିବା । ମାତ୍ର ଏହା ଦେହ ପ୍ରତି ହିତକାରୀ ନୁହେଁ ସେଥିପାଇଁ ଇଉରୋପୀୟ ୟୁନିୟନର ଅର୍ଦ୍ଧାଧିକ ଦେଶ ଏହାକୁ ବ୍ୟବହାର କରନ୍ତି ନାହିଁ । କାରଣ ଏହି ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି କମେଇଥାଏ ବୋଲି ବିଜ୍ଞାନୀଙ୍କର ମତ ।

    ଏହାଛଡ଼ା ପାରମ୍ପରିକ ଖାଦ୍ୟଶସ୍ୟ ଫଳ ପନିପରିବା ତୁଳନାରେ ଏହା ଆମ ଦେହକୁ ଆଦରିପାରେନାହିଁ । ସେଥିପାଇଁ ବିଭିନ୍ନ ଦେଶରେ ଏବେ ପାରମ୍ପରିକ କୃଷିକୁ ଲୋକେ ଆଦର କଲେଣି ଏବଂ ପାରମ୍ପରିକ ଅର୍ଗାନିକ ଶସ୍ୟର ବଜାରରେ ଅଧିକ ଚାହିଦା । ଯେମିତି ଚାଉଳ ବଜାରରେ ୩୦ଟଙ୍କାରେ ମିଳୁଥିଲେ ମଧ୍ୟ ଅର୍ଗାନିକ ପାରମ୍ପରିକ ଚାଉଳ ଲୋକେ ୫୦୦ଟଙ୍କା ଦେଇ କିଣୁଛନ୍ତି । ଚିନି କିଲୋଗ୍ରାମ ୪୦ଟଙ୍କା ହେଲେ ମଧ୍ୟ ଲୋକେ ୭୦ଟଙ୍କା ଦେଇ ଗୁଡ଼ କିଣୁଛନ୍ତି । ଗୁଡ଼ରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର ଅଛି ଯାହା ଚିନିରେ ନାହଁ ବରଂ ଏହା ଦେହ ପାଇଁ କ୍ଷତିକାରକ । ଗାଁ ଗଣ୍ଡାରେ ଚାଳ ଛପର ଛାଉଣି ବେଳେ ଘର ଚିଆଳୀ ମାନଙ୍କୁ କାମ ଶେଷରେ ଚକିରେ ଚକିଏ ଗୁଡ଼ ଖାଇବାକୁ ଗୃହକର୍ତ୍ତାଙ୍କ ତରଫରୁ ଦିଆଯାଏ । ଠିକ୍‌ ସେହିଭଳି ଖଣି ଖାଦାନରେ ଏବଂ ସିମେଣ୍ଟ ଫ୍ୟାକ୍ଟ୍ରି ମାନଙ୍କରେ କାମ କରୁଥିବା ଶ୍ରମିକ ମାନଙ୍କୁ ସଂସ୍ଥା ତରଫରୁ କାର୍ଯ୍ୟ ଦିବସର ଶେଷରେ ଗୁଡ଼ ଖାଇବାକୁ ଦିଆଯାଏ । ଏହା ଏକ ପ୍ରାଚୀନ ପରାମ୍ପରା । ଆଜିକାଲି ଲୋକେ ଜାଣିଗଲେଣି ତାଙ୍କ ଦେହପାଇଁ କ'ଣ ଭଲ ଓ କ'ଣ ଖରାପ । ଅର୍ଗାନିକ ପାରମ୍ପରିକ ଖାଦ୍ୟଶସ୍ୟ ପନିପରିବା ଏବଂ ଫଳମୂଳ ଦେହର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏହା ଏକ ଶୁଭ ଲକ୍ଷଣ । କୁହାଯାଏ ଆପଣଙ୍କ ଜେଜେ ଏବଂ ଜେଜେମାଆ ଖାଇଥିବା ଖାଦ୍ୟ ଆପଣଙ୍କ ଶରୀର ସହଜରେ ଗ୍ରହଣ କରିଥାଏ । ସେଥିପ୍ରତି ଧ୍ୟାନ ଦିଅନ୍ତୁ । ହୁଏତ ଆଉ କିଛି ବର୍ଷପରେ ରୋଗ ପ୍ରତିରୋଧକ ଶକ୍ତି ନଥିବା ଲୋକଙ୍କ ସଂଖ୍ୟା ଆଧୁନିକତାର ଦ୍ୱାହି ଦେଇ ବଢ଼ିଯିବ । ଫଳରେ ଲୋକେ ରୋଗବ୍ୟାଧିରେ ବହୁଳ ଭାବରେ ପୀଡ଼ିତ ହେବେ । କିଛି ବିଜ୍ଞାନୀଙ୍କ ମତରେ ଆଉ ଦୁଇବର୍ଷରେ ପରେ ଆମ ଶରୀରରେ ଆଣ୍ଟିବାୟୋଟିକ କାମ କରିବ ନାହିଁ । ସେତେବେଳେ ପାରମ୍ପରିକ ମଣିଷ ବା ଆଦିବାସୀ ଲୋକେ ଖୋଜା ପଡ଼ିବେ ଯେଉଁମାନେ କେବଳ ଜଙ୍ଗଲରେ ମିଳିବେ । କାରଣ ଆଜିକାଲି ଗାଁ ଗଣ୍ଡାରେ ଆଧୁନିକତାର ସ୍ପର୍ଶ ଲାଗିସାରିଲାଣି । ମନେରଖନ୍ତୁ ସଠିକ ଖାଦ୍ୟ, ନିଦ, ପାଣି, ବ୍ୟାୟାମ ଏବଂ ସୁଦୃଢ଼ ମନୋବଳ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସଶକ୍ତ କରିପାରିବ । 


ମୋ : ୯୪୩୮୨୭୬୭୬୦